ଭୁବନେଶ୍ବର: ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଓଡିଶାର ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ (SCTEVT) ଆଜି (ସୋମବାର) ଜିନ୍ଦଲ ଷ୍ଟେନଲେସ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ଏମଓୟୁ ଅଧୀନରେ ଜୁନ୍ ୨୦୨୨ରୁ ରାଜ୍ୟର ସମସ୍ତ ପଲିଟେକ୍ନିକରେ ଷ୍ଟେନଲେସ୍ ଷ୍ଟିଲ୍ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ । ଏସସିଟିଇଭିଟି ଉପାଧ୍ୟକ୍ଷ ରେଘୁ ଜି ଏବଂ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଜିନ୍ଦଲ ଷ୍ଟେନଲେସ୍ ସହିତ ଏହି ସହଯୋଗ ବୈଷୟିକ ଶିକ୍ଷା କ୍ଷେତ୍ର ପାଇଁ ଏକ ମାନଦଣ୍ଡ ହେବ । ଏହା ପଲିଟେକ୍ନିକ୍ରେ ଶିଳ୍ପ ଅଭିମୁଖୀକରଣକୁ ବ୍ୟାପକ କରିବାରେ ସହାୟକ ହେବ । ରାଜ୍ୟ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି । ଭିର୍ତ୍ତିଭୂମୀ ତଥା ବୈଷୟିକ ତାଲିମ ନିମନ୍ତେ ଅଗ୍ରାଧ୍ୟାକାର ଭିଭିରେ ପୁଞ୍ଜି ବିନିଯୋଗ କରୁଛନ୍ତି । ଡିପ୍ଲୋମା ପ୍ରଶିକ୍ଷାର୍ଥୀମାନେ ସ୍କିଲ ମାଧ୍ୟମରେ ଶ୍ରମିକ ଏବଂ ଇଞ୍ଜିନିୟରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବାରୁ ସେମାନେ ଯେକୌଣସି ଶିଳ୍ପ ସଂସ୍ଥାର ମେରୁଦଣ୍ଡ ବୋଲି ସେ ପ୍ରକାଶ କରିଛନ୍ତି ।
ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ ବିଜୟ ଶର୍ମା କହିଛନ୍ତି ଯେ, ଘରୋଇ ଷ୍ଟେନଲେସ ଷ୍ଟିଲ ଶିଳ୍ପ ପାଇଁ ଏକ ଆତ୍ମନିର୍ଭରଶୀଳ ଇକୋ ସିଷ୍ଟମ ବିକାଶ ପାଇଁ ଆମେ ପ୍ରତିବଦ୍ଧ । ଏହି ଏମଓୟୁ ଆମ ଦେଶର ଭବିଷ୍ୟତର କର୍ମଜୀବୀଙ୍କୁ ଷ୍ଟେନଲେସ ଷ୍ଟିଲ ଏବଂ ଏହାର ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ଶିଖିବା ନିମନ୍ତେ ସୁଯୋଗ ପ୍ରଦାନ କରିବ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଉତ୍ପାଦନ ବିପ୍ଳବ ଆଣିବାର ପ୍ରତିବଦ୍ଧତା ନିଶ୍ଚିତ ପ୍ରଶଂସନୀୟ । ଏହି ଏମଓୟୁ ଅଧୀନରେ ଦୁଇଟି ମଡ୍ୟୁଲ୍ ରହିବ । ବାଧ୍ୟତାମୂଳକ ଏବଂ ଚୟନମୂଳକ । ପ୍ରତ୍ୟେକ ବ୍ୟାଚ୍ ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍ ୨୦୨୨ରୁ ଷ୍ଟେନଲେସ୍ ଷ୍ଟିଲ୍ ଉପରେ ଏକ ଅତିରିକ୍ତ ବାଧ୍ୟତାମୂଳକ ମଡ୍ୟୁଲ୍ ଆରମ୍ଭ ହେବ । ଏଥିରେ କେବଳ ଷ୍ଟେନଲେସ୍ ଷ୍ଟିଲ୍ ଉପରେ ୧୦ ଟି ପାଠ୍ୟଦାନ ଅଧବେଶନ ଅନ୍ତର୍ଭୁକ୍ତ ହେବ ।
ଜିନ୍ଦଲ ଷ୍ଟେନଲେସ୍ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଶିଳ୍ପ ପରିଦର୍ଶନର ବ୍ୟବସ୍ଥା କରିବେ । ଏହା ସହିତ କମ୍ପାନୀ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବ । ସରକାରୀ ପଲିଟେକ୍ନିକ ଯାଜପୁର ଏବଂ କେନ୍ଦ୍ରାପଡା ଓ ବୋଷ କଟକର ଷଷ୍ଠ ସେମିଷ୍ଟାର ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଚୟନମୂଳକ ମଡ୍ୟୁଲରେ ୪୦ଟି ଅଧବେଶନ ସହିତ ୩ଟି କ୍ରେଡିଟ ପାଠ୍ୟକ୍ରମ ରହିବ । ପ୍ରଶିକ୍ଷାର୍ଥୀମାନେ ସେମାନଙ୍କର ପଞ୍ଚମ ସେମିଷ୍ଟାର ପରେ ଚୟନମୂଳକ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରିବେ । ମନୋନୀତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ ଯାଜପୁର ପ୍ଲାଣ୍ଟରେ ୨୦ ଘଣ୍ଟା ଅବଧୂର ଶିଳ୍ପ ତାଲିମ ନେବେ । ଯେଉଁଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବେ ।
ପାଠ୍ୟକ୍ରମର ସଫଳ ସମାପ୍ତି ପରେ ସମସ୍ତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ୍ ଏବଂ ସେମାନଙ୍କ ସଂପୃକ୍ତ ଅନୁଷ୍ଠାନରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ । ପ୍ରଶିକ୍ଷାର୍ଥୀମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାର କରି କମ୍ପାନୀ ସେମାନଙ୍କୁ ପ୍ରି-ପ୍ଲେସ୍ମେଣ୍ଟ ଅଫର ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମରେ ଏସ୍ଟିଇ ଅତିରିକ୍ତ ସଚିବ ତପନ ଶତପଥୀ, ଜେସିଏଲ୍ ରେସିଡେଣ୍ଟ ଡାଇରେକ୍ଟର ଏସ୍.ଏସ୍ ଉପାଧ୍ୟାୟ ଏବଂ ଜେସିଏଲ୍ ବିକ୍ରୟ ଏବଂ ବଣ୍ଟନ ମହାପ୍ରବନ୍ଧକ ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ