ନୂଆଦିଲ୍ଲୀ: ଦେଶର ନୂଆ ଶିକ୍ଷାମନ୍ତ୍ରୀ ହୋଇଛନ୍ତି ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଏବେଠୁ ଶିକ୍ଷା ବିଭାଗର ଦାୟିତ୍ବ ସମ୍ଭାଳିବେ ଧର୍ମେନ୍ଦ୍ର । ଏହାପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ବଦଳିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ । ପୂର୍ବରୁ ସେ ଦେଶର ପେଟ୍ରୋଲିୟମ ମନ୍ତ୍ରୀ ଥିଲେ । ହେଲେ କ୍ୟାବିନେଟ ବିସ୍ତାର ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ସହିତ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି ।
ଅନ୍ୟପକ୍ଷେ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଏବେ ପେଟ୍ରୋଲିୟମ ବିଭାଗର ଦାୟିତ୍ବ ସମ୍ଭାଳିବେ ହରଦୀପ ସିଂହ ପୁରୀ । ଦେଶର ପେଟ୍ରୋଲିୟମ ମନ୍ତ୍ରୀ ହୋଇଛନ୍ତି ହରଦୀପ ।
2014ରେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଦେଶର ପେଟ୍ରୋଲିୟମ ମନ୍ତ୍ରୀ ରହିଆସିଥିଲେ ଧର୍ମେନ୍ଦ୍ର ପ୍ରଧାନ । ମୋଦି 2.0ରେ ମଧ୍ୟ ତାଙ୍କୁ ଏହି ବିଭାଗର ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା । ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଅନେକ କାର୍ଯ୍ୟ କରିଛନ୍ତି ଧର୍ମେନ୍ଦ୍ର । ଦେଶରେ ସରକାରଙ୍କ ଉଜ୍ଜ୍ବଳା ଯୋଜନା ଜରିଆରେ ପ୍ରତ୍ୟେକ ଗରିବ ପରିବାରକୁ ଗ୍ୟାସ ଯୋଗାଇବା ତାଙ୍କର ବଡ ସଫଳତା କୁହାଯାଇପାରେ ।
ଦେଶରେ କ୍ରମାଗତ ତୈଳଦର ବୃଦ୍ଧି କାରଣରୁ ବିରୋଧୀଙ୍କ ଟାର୍ଗେଟରେ ଥିଲେ ଧର୍ମେନ୍ଦ୍ର ।