ଭୁବନେଶ୍ବର: ବିଦ୍ୟୁତ୍ ସଂସ୍କାର ପାଇଁ ଓଡ଼ିଶାକୁ ୨୦୨୧-୨୨ରେ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଏନେଇ ମଞ୍ଜୁରୀ ଦେଇଛନ୍ତି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ।
![ବିଦ୍ୟୁତ ସଂସ୍କାର ନିୟମ: ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ଲାଗି ଅନୁମତି](https://etvbharatimages.akamaized.net/etvbharat/prod-images/od-bbsr-03-loan-permmission-for-electricity-devlopment-7209798_07042022215449_0704f_1649348689_303.jpg)
ତେବେ ବିଦ୍ୟୁତ୍ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ରାଜ୍ୟ ଜିଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ଲାଗି ଅନୁମତି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି ଏହି ମଞ୍ଜୁରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ ଭାଷଣରେ ଏ ସମ୍ପର୍କରେ ଘୋଷଣା କରିଥିଲେ ।
ସେହିପରି ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଏବଂ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ସହିତ ଦେୟ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଦୀର୍ଘସ୍ଥାୟୀ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପାଇଁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଉଠାଣ ପାଇଁ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜୁନ ୯ ୨୦୨୧ରେ ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ ପକ୍ଷରୁ ଆବଶ୍ୟକ ବିସ୍ତୃତ ମାର୍ଗଦର୍ଶିକା ଏବଂ ନିୟମାବଳୀ ଜାରି କରାଯାଇଛି ।
ସେହିଭଳି ଅତିରିକ୍ତ ଋଣ ଉଠାଣ ଲାଗି ବିଦ୍ୟୁତ୍ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ ବାଧ୍ୟତାମୂଳକ ସଂସ୍କାର କାର୍ଯ୍ୟକାରୀ କରିବାକୁ ହେବ । ନିର୍ଦ୍ଧାରିତ ପ୍ରଦର୍ଶନ ବେଞ୍ଚମାର୍କ ପ୍ରସ୍ତୁତ କରିବାକୁ ପଡ଼ିବ । ବିଦ୍ୟୁତ ବିତରଣ କମ୍ପାନୀର ଘରୋଇକରଣ ପାଇଁ ରାଜ୍ୟମାନେ ବୋନସ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ହୋଇପାରିବେ ।
ଅନ୍ୟପଟେ ରାଜ୍ୟମାନଙ୍କର ପ୍ରଦର୍ଶନ ଏବଂ ଅତିରିକ୍ତ ଋଣ ଉଠାଣ ଅନୁମତି ପାଇଁ ଯୋଗ୍ୟତା ଆକଳନ କରିବା ଲାଗି ଶକ୍ତି ମନ୍ତ୍ରଣାଳୟକୁ ନୋଡାଲ ମନ୍ତ୍ରଣାଳୟ ଭାବେ ନିୟୋଜିତ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟମାନେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଣ ସୁବିଧାର ଲାଭ ନେଇପାରିବେ । ଏଥିପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୨୨,୫୫୧ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଉପଲବ୍ଧ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସଂସ୍କାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିନଥିବା ରାଜ୍ୟମାନେ ଚଳିତ ଆର୍ଥିକ ବର୍ଷରେ ସଂସ୍କାର କାର୍ଯ୍ୟକାରୀ କରିପାରିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟବସ୍ଥା ହୋଇଥିବା ଅତିରିକ୍ତ ଋଣ ଉଠାଣର ଲାଭ ନେଇପାରିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ