ଭୁବନେଶ୍ବର: ରାଜ୍ୟରେ ମାପ ଓ ଓଜନରେ କେତୋଟି ଠକେଇ ଗତ 2 ବର୍ଷରେ ହୋଇଛି ? ବିଶେଷ କରି ପନି ପରିବାର ରେ ରଙ୍ଗ ବୋଳିବା, ମାଛ ମାଂସରେ ଡେଜଲ ଗ୍ୟାସ, ଏସିଡ ଦେଇ ଅଧିକ ଦିନ ରଖିବା, ଓଜନରେ କିଛି ସରଳ ଲୋକଙ୍କୁ ଠକିବା, ପେଟ୍ରୋଲ ଟାଙ୍କିରେ, ସିମେଣ୍ଟ ଗୋଦାମରେ ଅପମିଶ୍ରଣ କରିବା, ଭେଜାଲ ତେଲ, ମସଲା, ଘିଅ, ବଜାରରେ ବିକ୍ରି କରିବା, ଏପରିକି ସୁନା ଦୋକାନ ଗୁଡିକରେ ଓଜନ ମାପ ଓ ମାନରେ ଠକେଇ କରୁଥିବା କେତୋଟି ବ୍ୟବସାୟ କେନ୍ଦ୍ର, କେତେ କାରଖାନା ଓ ଗୋଦାମ ଗୃହରେ ଚଢାଉ କରି ଠକ ଦଲାଲ ମାନଙ୍କୁ ଧରିଛନ୍ତି ? ଏହି ପ୍ରଶ୍ନ ବିଧାନସଭାରେ ପଚାରିଛନ୍ତି ବିଧାୟକ ଚକ୍ରମଣି କହଁର ।
ଉତ୍ତରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (Minister for Food Supplies & Consumer Welfare Ranendra Pratap Swain) କହିଛନ୍ତି 2019-20 ଆର୍ଥିକ ବର୍ଷରେ ବିଭିନ୍ନ ଠକେଇ ମାମଲାରେ 5 ହଜାର 701 ମାମଲା ରୁଜ୍ଜୁ ହୋଇଛି । ଏହାସହ ଏକ କୋଟି 31 ଲକ୍ଷ 94 ହଜାର 615 ଟଙ୍କାର ଜରିମାନା ଆଦାୟ ହୋଇଛି ।
ସେହିପରି ଚଳିତ ଆର୍ଥିକ ବର୍ଷ 2020-21 ରେ 4 ହଜାର 290 ମାମଲା ଓ ଜରିମାନା ପରିମାଣ ଏକ କୋଟି 11 ଲକ୍ଷ 28 ହଜାର 300 ଟଙ୍କା । ଏହାବାଦ 2021 ଅକ୍ଟୋବର ସୁଦ୍ଧା 1 ହଜାର 904 ମାମଲା ରୁଜୁ ହୋଇଥିବା ବେଳେ 40 ଲକ୍ଷ 45 ହଜାର 20 ଟଙ୍କା ଜରିମାନା ଆଦାୟ ହୋଇଛି ।
ଅନ୍ୟପଟେ ୧୭୪ ସୁନା ଦୋକାନୀଙ୍କ ବିରୋଧରେ ମାମଲା ହୋଇଛି । ଏଥିରୁ ୪ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ଏହାବାଦ ୮୦ ଟି ପେଟ୍ରୋଲ ପମ୍ପ ବିରୋଧରେ ମାମଲା ରୁଜୁ କରି ୭.୨୫ ଲକ୍ଷ ଫାଇନ ଆଦାୟ କରାଯାଇଛି, ଏତତ ବ୍ୟତୀତ ୧୯୬ ମସଲା ଦୋକାନୀ, ୧୧୩ ପନିପରିବା ଦୋକାନୀ ଓଜନରେ ଠକିଥିବା ଗୃହରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ