ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନରେ ଆଜି ଖଣି ଦୁର୍ନୀତି ପ୍ରସଙ୍ଗ ଉଠିଛି । ଗୃହ ଆରମ୍ଭରୁ ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ।
ଲକ୍ଷେ କୋଟି ଟଙ୍କା ଖଣି ମାଫିଆ ଓ ଅଫିସର ଲୁଟି ନେଇଥିବା ଅଭିଯୋଗ ଆଣି ଖଣି ଲିଜରେ ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି ବିରୋଧୀ ଦଳ ନେତା। ଏହାସହ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ମୁଷ୍ଟିମେୟ ଅଫିସରଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସିରାଜୁଉଦିନ କମ୍ପାନୀ ନାଁ ରେ ଭିଜିଲାନ୍ସ ମାମଲା ହେଲା ପରେ ଓ ତାଙ୍କୁ କିପରି ଲିଜ ମିଳିଲା । ରୁଙ୍ଗଟା ମାଇନ୍ସ ନାଁରେ ବି MMDR ଆକ୍ଟରେ ମାମଲା ଅଛି । ସେମାନଙ୍କ ନାଁରେ କପରି ଖଣି ଲିଜ ନବୀକରଣ ହେଲା । କିପରି ଅବଧି ବୃଦ୍ଧି ହେଲା । ଯେଉଁ ଅଧିକାରୀ ଏମିତି କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ । ଏହାସହ 21 ଟି ମାଇନ୍ସ ଉପରେ ଆଲୋଚନା ହେଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ତେବେ ଏହି ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ନେଇ ବିରୋଧୀ-ଶାସକ ମୁହାଁମୁହିଁ ହୋଇଛି । ଏହି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। 2015-16ରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସି କହିଲେ ଓଡିଶା ଖଣି ରାଜସ୍ବରୁ ଲକ୍ଷାଧିକ ଟଙ୍କା ପାଇବେ। ହେଲେ କେତେ ଟଙ୍କା ଓଡିଶାକୁ ମିଳିଲା ? ଖଣି ନିଲାମ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ହୋଇଛି। କିଛି ଲୁଚାଯାଉନାହିଁ। ସିଇସି ତଦନ୍ତବେଳେ କାହିଁକି ତଥ୍ୟ ରଖି ନ ଥିଲା। ନିର୍ଦ୍ଧିଷ୍ଟ ତଥ୍ୟ ଥିଲେ ବିରୋଧୀ ଦିଅନ୍ତୁ। ରାଜନୀତି କରାନଯାଉ । ଆଲୋଚନା କରାଯାଉ ବୋଲି ପ୍ରତାପ ଦେବ କହିଛନ୍ତି ।
ତେବେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପ୍ରତାପ ଦେବଙ୍କ ମଧ୍ୟରେ ମଧ୍ୟ ମୁହାଁମୁହିଁ ହୋଇଛି। ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର। 9 ଟି ଖଣିରେ 3600 କୋଟି ରାଜସ୍ବ କ୍ଷତି ହୋଇଛି। ଏକଥାକୁ ବିଚାର କରାଯାଉ। ଏହାସହ ନଉଗାଁ ଆଇରନ, ଉଚପାଲି, ବଳଦା ମାଇନିଂ, ଠାକୁରାଣୀ ଆଇରନ, ନଇଡା ଆଇରନ, ନଦିଢି ଆଇରନ, ଜୁରିଡି ଆଇରନ, ନାରାୟଣ ପୋଷି ଖଣି ନାଁରେ ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଏ ସମ୍ପର୍କରେ ମୁଁ ବାରମ୍ବାର ଚିଠି ଲେଖିଛି। ଚିଠି ପ୍ରାପ୍ତି ସ୍ବୀକାର ମିଳୁନି। କିଛି ଅଫିସର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ନପହଞ୍ଚିବାରେ ଚକ୍ରାନ୍ତ କରୁଛନ୍ତି। ଖଣି ଲିଜ ନବୀକରଣ ଓଡିଶା ପାଇଁ ଆତ୍ମଘାତୀ ବୋଲି ମଧ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦର୍ଶାଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ