ଭୁବନେଶ୍ବର: ଅଧିକ ରୋଜଗାର ଆଶାରେ ବିଦେଶକୁ ଯାଇଥିଲେ, ସ୍ବପ୍ନ ଥିଲା ଭଲ କମ୍ପାନୀରେ କାମ କରିବେ ଓ ରୋଜଗାର ଟଙ୍କା ଘରକୁ ପଠାଇବେ । ଚାକିରି ମିଳିଲା ସତ କିନ୍ତୁ ଦରମା ବଦଳରେ ମିଳିଲା ନିର୍ଯ୍ୟାତନା । ଫଳରେ ନିଜ ରାଜ୍ୟକୁ ଫେରିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ପ୍ରବାସୀ ଓଡିଆ ।
ବାଲେଶ୍ଵର, ଯାଜପୁର, କଟକ, ଭୁବନେଶ୍ୱରର ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର, ରାଜେନ୍ଦ୍ର କୁମାରଙ୍କ ପରି କେତକ ଯୁବକ ବାହାରିନକୁ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି । ଏହି ଖବର ଜାଣିବା ପରେ ସହଯୋଗର ହାତ ବଢାଇଛନ୍ତି ବିଶ୍ବ ଓଡ଼ିଶା ସଂଗଠନର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ । ଭାରତୀୟ ଦୂତାବାସ, ଶ୍ରମ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ନ୍ୟାୟୋଚିତ ଫେରିବା ବ୍ୟବସ୍ଥା କରିବା ପାଇଁ ଅରୁଣ ପ୍ରତିଶ୍ରୁତି ଦେଇଛନ୍ତି ।
ଡ. ପ୍ରହରାଜଙ୍କ କହିବା ଅନୁସାରେ, ''ଏହି ଘଟଣା ସେ କମ୍ପାନୀ ଓ ଦୂତାବାସ ଦୃଷ୍ଟିକୁ ଆଣିଛନ୍ତି । ବେଆଇନ ଓ ଠକ ଦଲାଲଙ୍କ ଜରିଆରେ ଏହି ଯୁବକମାନେ ଆସିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସହଜ ହେଉନାହିଁ ।" ଫଳରେ ଶୁକ୍ରବାର ଡ. ପ୍ରହରାଜ ନିଜ ବାସଭବନରେ ଯୁବକମାନଙ୍କୁ ଡକାଇ ସେମାନଙ୍କ ଫେରିବା ବ୍ୟବସ୍ଥା କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।
''ଏଥିସହ ଯୁବକ ମାନଙ୍କୁ ସୁରକ୍ଷିତ ଭାବେ ଫେରିବାରେ ସହଯୋଗ କରିବା ପାଇଁ ଏ ସମ୍ପର୍କରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ତେବେ ଠକ ଦଲାଲଙ୍କ ଠକାମିର ଶିକାର ହୋଇ ବାହାରିନ ଆସିଥିଲେ ପ୍ରବାସୀ ଓଡିଆ । ତେଣୁ ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଆଇନଗତ ଭାବରେ ଏକ ବ୍ୟବସ୍ଥା କରାଯାଉ ବୋଲି ଡ. ପ୍ରହରାଜ ଦୀର୍ଘ ଦିନରୁ ଉଭୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ବାହାରିନର ମାଗନମ ଜାହାଜ ସେବା କମ୍ପାନୀରେ କାମ ଦେବା କହି ଦଲାଲ ପ୍ରବାସୀ ଓଡିଆଙ୍କୁ ବାହାରିନକୁ ନେଇଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ପରେ ସବୁକିଛି ଓଲଟା ଥିଲା । ଜାହାଜ ସେବା ନୁହେଁ ବରଂ ଜାହାଜ କାରଖାନାରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଗଲା । ଯାହାକି ଅତ୍ୟନ୍ତ ବିପଦ ସଙ୍କୁଳ ଓ କଷ୍ଟକର କାର୍ଯ୍ୟ ଥିଲା । ନିଜର ଭବିଷ୍ୟତକୁ ଗଢ଼ିବା ଓ ପରିବାର ଚଳାଇବା ଲାଗି ଏଥିରେ ବାଧ୍ୟ ହୋଇ ରାଜି ହୋଇଥିଲେ ପ୍ରବାସୀ ଓଡିଆ । ଖାଲି ଏତିକି ନୁହଁ ୪ରୁ ଉର୍ଦ୍ଧ୍ବ ମାସ କାମ କରିଥିଲେ ମଧ୍ୟ କୌଣସି ଦରମା ମିଳିନଥିଲା । ଶେଷରେ ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।