ଭୁବନେଶ୍ବର: ସ୍ମାର୍ଟସିଟିର ପ୍ରତି ୱାର୍ଡରେ ପ୍ରତିଷ୍ଠା ହେବ କ୍ଷୁଦ୍ର ଜୈବିକ ଖତ କେନ୍ଦ୍ର। ଭୁବନେଶ୍ବରରେ ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ ବିଏମସି ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ । ପ୍ରଥମ ପର୍ଯ୍ୟାୟରେ ବିଏମସିର ୨୨ଟି ୱାର୍ଡରେ ୨୨ଟି ପ୍ରାରମ୍ଭିକ ବର୍ଜ୍ୟବସ୍ତୁ ଜୈବିକ ଖତ ପ୍ଲାଣ୍ଟ ଆରମ୍ଭ କରାଯିବ। ଏଠାରେ ଜୈବିକ ଖତ ଉତ୍ପାଦନ କରାଯିବ । ଏଥିପାଇଁ ବିଏମସିର ପାଖାପାଖି ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ପ୍ରତ୍ୟେକ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଦୈନିକ ୫ ଟନ ରହିବ । ଦ୍ବିତୀୟ ପର୍ଯ୍ୟାୟରେ ବିଏମସିର ଅନ୍ୟ ସମସ୍ତ ୱାର୍ଡରେ ହେବ ଏହି କ୍ଷୁଦ୍ର ଜୈବିକ ଖତ କେନ୍ଦ୍ର।
ରାଜଧାନୀ ଭୁବନେଶ୍ବରରେ ଖୁବଶୀଘ୍ର ଆରମ୍ଭ ହେବ କ୍ଷୁଦ୍ର ଜୈବିକ ଖତ କେନ୍ଦ୍ର। ପ୍ରତ୍ୟେକଟି ୱାର୍ଡରୁ ନିର୍ଗତ ହେଉଥିବା ଆବର୍ଜନାର ମୂଲ୍ୟାଙ୍କନ କରାଯାଇ ପ୍ଲାଣ୍ଟର କ୍ଷମତା ନିର୍ଦ୍ଧାରଣ କରାଯିବ। ବିଭିନ୍ନ ୱାର୍ଡରୁ ପୃଥକ ଭାବେ ଅଳିଆ ଆବର୍ଜନା ସଂଗ୍ରହ କରାଯାଇ ବ୍ୟାଟେରୀ ଚାଳିତ ଗାଡି ସାହାଯ୍ୟରେ ଜୈବିକ କେନ୍ଦ୍ରକୁ ପରିବହନ କରାଯିବ। ଏଣୁ ପ୍ରତ୍ୟେକ ୱାର୍ଡର ଦୂରତା ଏବଂ ପରିବାର ସଂଖ୍ୟାକୁ ନେଇ ରୁଟ ଚାର୍ଟ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ବରରେ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମ କରାଯିବ।
ସୂଚନାଥାଉକି, ଏହି କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବା ଦ୍ବାରା କର୍ତ୍ତୃପକ୍ଷ ତିନି ପ୍ରକାର ଫାଇଦା ମିଳିବ ବୋଲି ଆଶା କରିଛନ୍ତି । ପରିବହନ ଜନିତ ଖର୍ଚ୍ଚ କମିବ, ଶ୍ରମଦେୟ କମ ହେବ ଏବଂ ବିଜ୍ଞାନ ସମ୍ମତ ଭାବେ ଜୈବିକ ଖତ ଉତ୍ପାଦନ ହୋଇ ଏଥିରୁ ବିଏମସିକୁ ରାଜସ୍ବ ମିଳିବାର ସୁଯୋଗ ସୃଷ୍ଟି ହେବ ବୋଲି କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ