ଭୁବନେଶ୍ବର: ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ସପ୍ତମ ବୈଠକ ଆଜି ଲୋକସେବାରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଫୋକସ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀତା କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତର ଦାୟିତ୍ବ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।
ବୈଠକ ପ୍ରାରମ୍ଭରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପରିଷଦର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟ, ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇ ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷର ସଫଳତା ଗତ ୨୦୨୦-୨୧ ବର୍ଷ ତୁଳନାରେ ଯଥେଷ୍ଟ ଉର୍ଦ୍ଧ୍ଵରେ ଅଛି । ତାହା ଛଡା ଚଳିତ ବର୍ଷ ରାଜ୍ୟର ସଫଳତା ପ୍ରକାଶ ଦେଶର ୧୦ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଛି ।
ସେହିପରି ସଚିବ କହିଛନ୍ତି ୧୪.୬ କୋଟି ଶ୍ରମ ଦିବସ ସୃଷ୍ଟି ସହିତ ସପ୍ତମ ସ୍ଥାନ । ୧୦୦ ଦିନରୁ ଉର୍ଦ୍ଧ୍ଵ କାର୍ଯ୍ୟ କରିଥିବା ପରିବାରରେ ଦ୍ବିତୀୟ ସ୍ଥାନ, ପ୍ରତି ପରିବାର ପିଛା ହାରାହାରି କାର୍ଯ୍ୟ ଦିବସରେ ଦ୍ଵିତୀୟ ସ୍ଥାନ, ଉଚିତ ସମୟରେ ଶ୍ରମିକ ମାନଙ୍କୁ ଦେୟ ପ୍ରଦାନରେ ଅଷ୍ଟମ ସ୍ଥାନ, ଜିଓ-ମନରେଗାରେ ସପ୍ତମ ସ୍ଥାନ ଓ ଗ୍ରାମ ପଞ୍ଚାୟତ ଜିଆଇଏସ ପ୍ଳାନରେ ଶୀର୍ଷ ସ୍ଥାନ ବଜାୟ ରଖିଅଛି । ଏହାବାଦ ରାଜ୍ୟର ୨୦ ଦାଦନ ପ୍ରବଣ ବ୍ଲକ ଗୁଡିକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜବ କାର୍ଡଧାରୀଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଜ୍ଞାପିତ ମଜୁରୀ ଦର ଉପରେ ଅତିରିକ୍ତ ମଜୁରୀ ପ୍ରଦାନ କରି ଏହାକୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମରେ ଧାର୍ଯ୍ୟ ହୋଇଥିବା ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ବ୍ୟତିରେକ ଅତିରିକ୍ତ ୨୦୦ ଦିନର କର୍ମ ନିଯୁକ୍ତି ପ୍ରଦାନ କରାଯାଉଛି । ଉକ୍ତ ୨୦୦ ଦିନ ନିମନ୍ତେ ଜବ କାର୍ଡଧାରୀ ମାନଙ୍କୁ ତାଙ୍କର ଦୈନିକ ମଜୁରୀ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରୀ ହାରରେ ପ୍ରଦାନ କରାଯାଉଛି ।
ସେହିପରି ଫୋକସ କ୍ରିୟାକଳାପ ମଧ୍ୟରେ ଲାଇନ ବିଭାଗ ଗୁଡିକ ସହ ପ୍ରଭାବି ଏକା ଭିମୁଖ୍ୟକରଣ ମାଧ୍ୟମରେ ଚଳିତ ବର୍ଷ ୩ ହଜାର ୬୫୬ କୋଟି ଟଙ୍କାର କାର୍ଯ୍ୟ ଯୋଜନା ଅନୁମୋଦନ କରାଯାଇଛି । ଉକ୍ତ ପଦକ୍ଷେପ ଯୋଗୁଁ ୭୪୭.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨.୮୯ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଉଦ୍ୟାନ କୃଷି ୨୧୧୧୫ ହେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨୫୧୫୫ ହେକ୍ଟର ବନୀକରଣ ଓ ୬୦୬୬୩ ଫାର୍ମ ପୋଖରୀ କରାଯିବା ନିମନ୍ତେ ପଦକ୍ଷେପ ହାତକୁ ନିଆଯାଇ ଗରିବ ପରିବାରଙ୍କର ଜୀବିକା ସୁରକ୍ଷାକୁ ସୁଦୃଢ କରାଯାଇଛି । ରାଜ୍ୟରେ ପକ୍କାଘର ନଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକ ପାଇଁ ପକ୍କାଘର ନିର୍ମାଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଏତତ ବ୍ୟତୀତ ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ନିମନ୍ତେ ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ସ୍ବଚ୍ଛତା ଓ ଉତ୍ତରଦାୟିତ୍ଵ ବଜାୟ ରଖିବା ପାଇଁ ଏରିଆ ଅଫିସର ଆପ, ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମ, ଜିଆଇଏସ ଆଧାରିତ ଯୋଜନା, ସମ୍ପତ୍ତିର ଜିଓ ଟ୍ୟାଗିଂ, ଆଧାର ସିଡିଙ୍ଗ ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା (ଏବିପିଏସ)ର ଉପଯୋଗ ସହ ସାମାଜିକ ସମୀକ୍ଷା ଏବଂ ଅମ୍ବୁଡ୍ସପର୍ସନଙ୍କ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ।
ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ଅତିରିକ୍ତ ଶାସନ ସଚିବ, ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ସଦସ୍ୟ ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଚେୟାରମ୍ୟାନ, ସରପଞ୍ଚ ଉପସ୍ଥିତ ଥିଲେ । ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ ସଫଳତାର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ