ଭୁବନେଶ୍ବର: କମେଣ୍ଟମାରି ଯୁବକ ଖେଳାଇଲେ ଆତଙ୍କ । ବାଣୀ ବିହାର ଷ୍ଟେସନରେ ଘଟିଛି ଏହି ତୁମୁଳକାଣ୍ଡ । କମେଣ୍ଟମରା ଓ ଛୁରାମାଡ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ସହିଦନଗର ଥାନା ତେଲୁଗୁ ବସ୍ତିରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପିସିଆରକୁ ହସ୍ତାନ୍ତର କରିଛନ୍ତି ।
ସୂଚନା ମୁତାବକ ବାଣୀ ବିହାର ଷ୍ଟେସନ ଦେଇ ଯାଉଥିବା ଦୁଇ ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିଲା ଶିବ ପ୍ରସାଦ ସାହୁ ନାମକ ଅଭିଯୁକ୍ତ । ଯାହାକୁ ବିରୋଧ କରିଥିଲେ ପାଖରେ ଥିବା କିଛି ଲୋକ । ଏନେଇ ଅଭିଯୁକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଏନଏଚ ଉପରେ ସେମାନେ ବାଡିଆପିଟା କରିଥିଲେ। ଏହି ଖବର ପାଇ ପହଞ୍ଚିଥିଲା ପିସିଆର । ଏନେଇ ଯୁବକ ଜଣକ ଭିଏସଏସ ନଗର ଆଡକୁ ଦୌଡି ପଳାଇବାକୁ ଉଦ୍ୟମ ବେଳେ ପୋଲିସ କିଛି ଲୋକଙ୍କୁ ତାର ପିଛା କରି ଧରିବାକୁ କହିଥିଲା ।
ଏନେଇ ଦୁଇ ଯୁବକ ଗୋଡେଇ ଗୋଡେଇ କାବୁ କରିବାକୁ ଉଦ୍ୟମ ବେଳେ ଅଭିଯୁ୍କ୍ତ ଶିବ ପ୍ରସାଦ ସାହୁ ପାଖରେ ରଖିଥିବା ଛୁରୀରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦିଲ୍ଲୀପ କୁମାରଙ୍କ ହାତ ଓ ପ୍ରଶାନ୍ତ ବିଶ୍ବାଳ ନାମକ ବ୍ୟକ୍ତିଙ୍କ ଜଙ୍ଘରେ ଛୁରୀ ବାଜିଛି । ସେମାନେ ଆହାତ ହୋଇଥିବା ବେଳେ ଅନ୍ୟ ଲୋକ ଅଭିଯୁକ୍ତକୁ କାବୁ କରି ପିସିଆରକୁ ହସ୍ତାନ୍ତର କରିଛନ୍ତି । ତେବେ ଅଭିଯୁକ୍ତ ଘର ଝାଡଖଣ୍ଡ ହୋଇଥିବା ସୂଚନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର