ଭୁବନେଶ୍ବର: ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ଓଡିଶାରୁ କେବଳ ୧୦୦ ମିଲିୟନ ଟିନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି । ଏନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲଙ୍କ ମଧ୍ୟରେ ହୋଇଛି ଆଲୋଚନା ।
ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଲକ୍ଷ୍ମୀନିବାସ ମିତ୍ତଲ ଓ ସିଇଓ ଆଦିତ୍ୟ ମିତ୍ତଲଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଦେଶ ତଥା ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି । ବିଶେଷ ଭାବରେ ଓଡିଶାକୁ ଇସ୍ପାତର ପେଣ୍ଠସ୍ଥଳୀରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ସେ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା ଜଣାପଡିଛି ।
ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ତୈଳ, ଗ୍ୟାସ, ଇସ୍ପାତ, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରାଯାଇଛି । ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ, ଦକ୍ଷତାସମ୍ପନ୍ନ ଓ ବୈଶ୍ବିକ ପ୍ରତିଯୋଗିତାମୂଳକ କରିହେବ ସେ ସମ୍ପର୍କରେ ଆଲୋଚନା ହୋଇଛି । ଏହିସବୁ କ୍ଷେତ୍ରରେ ନୂତନ ଉଦ୍ଭାବନ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶାରେ ଖଣି ଓ ଇସ୍ପାତ ଉତ୍ପାଦନର ଅଭିବୃଦ୍ଧି ନେଇ ବୈଠକରେ ଚର୍ଚ୍ଚା ହୋଇଛି ।
ବିଶ୍ବର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ଏହି କମ୍ପାନୀ ଭାରତରେ ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ । କମ୍ପାନୀର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ