ଭୁବନେଶ୍ବର: ଦୀର୍ଘ 4 ବର୍ଷ ତଳେ ଓଡ଼ିଶାରେ ଘଟିଥିଲା ଏକ ଡବଲ ମର୍ଡର ଘଟଣା । ଆଉ ମାମଲାର ତଦନ୍ତ ପରେ ଏଥିରେ ରାଜନୈତିକ ସମ୍ପୃକ୍ତି ଥିବା ଜଣାପଡୁଥିଲା । ଏବେ ଏହି ଘଟଣାରେ ଛତିଶଗଡ଼ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ଯାହା ଓଡିଶାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣାର କାହାଣୀ ଓ ସସପେନ୍ସକୁ ନେଇ ଖୁବ୍ ଶୀଘ୍ର ପରଦାକୁ ଆସିବ ଏକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ମନ ବଳାଇଛନ୍ତି ଓଡ଼ିଆ ସିନେମା ଜଗତର ଚର୍ଚ୍ଚିତ ପ୍ରଯୋଜକ ଶ୍ରୀଧର ମାର୍ଥା ।
ପୂର୍ବରୁ ଏକାଧିକ ଫିଲ୍ମ ପ୍ରଯୋଜନା କରିଥିବା ମାର୍ଥା ବିଗତ ଦିନର 'ପାଟଣାଗଡ଼ ପାର୍ସଲ ବୋମା' ହତ୍ୟାକାଣ୍ଡର ଫିଲ୍ମ ପ୍ରଯୋଜନା କରି ଅଧିକ ଚର୍ଚ୍ଚିତ ହୋଇଛନ୍ତି । ତେବେ ଉକ୍ତ ଫିଲ୍ମଟିର ସବୁ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଇନର ଜାଲରେ ଛନ୍ଦି ହୋଇ ଏପର୍ଯ୍ୟନ୍ତ ତାହା ମୁକ୍ତିଲାଭ କରି ପାରିନାହିଁ । ସେପଟେ କିନ୍ତୁ ବିଧାୟକଙ୍କ ଡବଲ ମର୍ଡର ଘଟଣାକୁ ନେଇ ସେ ଫିଲ୍ମ ତିଆରି କରିବାକୁ ଆଗ୍ରହ ଦେଖାଇଛନ୍ତି ।
ଏହି ଚଳଚ୍ଚିତ୍ର 'ମାୟାବିନୀ ଏକ କଳ୍ପନା' କୁ ନାଟ୍ୟ ରୂପ ଓ ନିର୍ଦ୍ଦେଶନା ଦେବେ ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ ସବିନୟ । ଏଥି ସହିତ ବଲିଉଡର ଜଣେ ବରିଷ୍ଠ ଅଭିନେତ୍ରୀ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ସେ କହିଛନ୍ତି । ତେବେ ଏହା ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ ଏହା ପ୍ରଥମେ ଓଡ଼ିଆ ଭାଷାରେ ହେବ ଏବଂ ପରବର୍ତ୍ତୀ ଅବସ୍ଥାରେ ଏହା ଅନ୍ୟ ଭାଷାରେ ମଧ୍ୟ କରାଯିବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ