ଭୁବନେଶ୍ବର: ଦୀର୍ଘ ୨୩ ଘଣ୍ଟା ଧରି ମାରଥନ ରେଡ୍ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନରୁ ଫେରିଛି ଭିଜିଲାନ୍ସ ବିଭାଗ । ପ୍ରଦୀପଙ୍କ ବାସ ଭବନରେ ରାତି ସାରା ରେଡ୍ ଚାଲିଥିବା ବେଳେ ୨୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସକାଳ ୭ଟାରେ ଭିଜିଲାନ୍ସ ଅଧିକାରୀ ଚଢାଉ କରିଥିବା ବେଳେ ଆଜି ସକାଳ ୬ଟାରେ ଫେରିଛି । ତେବେ ୨୦ଲକ୍ଷ ଟଙ୍କା ସହ ଜମି କାଗଜପତ୍ର, ଗାଡ଼ି, ଗହଣା, ବ୍ୟାଙ୍କ୍ ପାସବୁକ୍ ,କ୍ରେଡିଟ ଓ ଡେବିଟ କାର୍ଡ ସମେତ, ଇନ୍ସୁରାନ୍ସ ବଣ୍ଡ୍ ମଧ୍ୟ ଜବତ ହୋଇଛି ।
ସୂଚନାଅନୁଯାୟୀ ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନ ସମେତ ତାଙ୍କ ସଂପର୍କୀୟଙ୍କ ମୋଟ ୧୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ଟିମର ଅତର୍କିତ ଚଢ଼ାଉ ସମୟରେ ବିଧାୟକ ପାଣିଗ୍ରାହୀ ଏବଂ ତାଙ୍କ ସମ୍ପର୍କୀୟଙ୍କ କେତେ ପରିମାଣର ସମ୍ପତ୍ତି ରହିଛି ସେନେଇ ଖୋଳତାଡ ଚାଲିଥିଲା ।
ବିଧାୟକଙ୍କ ବାସଭବନ ସମେତ ୧୫ ଗୋଟି ସ୍ଥାନରେ ଚଡ଼ାଉ ହୋଇଥିବା ବେଳେ ପୂର୍ବରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଥିବା ମୋଟ ୫ କୋଟି ଟଙ୍କାକୁ ନେଇ ଚାଲିଥିଲା ଖୋଳତାଡ଼ । ବ୍ରହ୍ମପୁର ସହରରେ ରହୁଥିବା ତାଙ୍କ ପରାମର୍ଶଦାତା ପୂର୍ବତନ ଅଧ୍ୟକ୍ଷ ଭି.ସର୍ବେଶ୍ଵର ରାଓଙ୍କ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ SDPOଙ୍କ ସମେତ ୨ଜଣ ଅତିରିକ୍ତ SP ଏବଂ ୧୭ ଜଣ DSP ଏହିଚଢାଉରେ ସାମିଲ ଥିଲେ । ପ୍ରଦୀପଙ୍କ ଭୁବନେଶ୍ଵର କ୍ଲବ ପଛପଟେ ସରକାରୀ କ୍ବାର୍ଟରରେ ମଧ୍ୟ ରେଡ କରିଥିଲା ଟିମ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ