ଭୁବନେଶ୍ବର: ଦେଶରେ ଭୋଟ ପାଇଁ ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ ନେଇ ଉତ୍ତରାଖଣ୍ଡରୁ 6 ହଜାର 500 କିମି ପଦଯାତ୍ରାରେ ବାହାରିଛନ୍ତି ଉତ୍ତରାଖଣ୍ଡ ନିବାସୀ ଓମକାର ସିଂହ ଧିଲନ। ନାରା ଗୋଟିଏ ‘ଇଭିଏମ ହଟାଅ, ଦେଶ ଆଉ ଗଣତନ୍ତ୍ରକୁ ବଞ୍ଚାଅ ’ । ଏବେ ଇଭିଏମରେ ନିର୍ବାଚନ କରାଯାଉଥିବାରୁ ତାର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇ ଉତ୍ତରାଖଣ୍ଡର ଓମକାର ସିଂହ ଧିଲନ ସଚେତନତାରେ ବାହାରିଛନ୍ତି ସାରା ଭାରତ ଭ୍ରମଣରେ।
ଅଗଷ୍ଟ 18 ତାରିଖରୁ ଉତ୍ତରଖଣ୍ଡରୁ ବାହାରି ଉତ୍ତର ପ୍ରଦେଶ, ରାଜଧାନୀ ଦିଲ୍ଲୀ, ହରିଆଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ହୋଇ ଏବେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ଓମକାର। ଓମକାରଙ୍କ କହିବା ଅନୁସାରେ ବାଲଟ ପେପର ହେଉଛି ସବୁଠୁ ସ୍ବଚ୍ଛ ଏବଂ ଭରସାଯୋଗ୍ୟ ନିର୍ବାଚନୀ ବ୍ୟବସ୍ଥା। ଇଭିଏମ ଏକ ଅସୁରକ୍ଷିତ ପଦ୍ଧତି, ତେଣୁ ଏତେ ବଡ ଦେଶକୁ ବଞ୍ଚାଇବାକୁ ହେଲେ ଇଭିଏମ ବନ୍ଦ କରାଯାଉ, ସମ୍ବିଧାନକୁ ରକ୍ଷା କରାଯାଉ ବୋଲି ସେ ଦାବି କରିଛନ୍ତି ।
ପୂର୍ବରୁ ବାଲଟ ପେପର ଭୋଟ ବ୍ୟବସ୍ଥା ଥିଲା, ଏବେ ଇଭିଏମ ମାଧ୍ୟମରେ ଭୋଟ ଦାନ ଚାଲିଛି। ଭାରତ ଭଳି ଏତେ ବଡ ଗଣତନ୍ତ୍ର ରାଷ୍ଟ୍ରରେ କୋଟି କୋଟି ଲୋକେ ନିର୍ବାଚନରେ ଅଂଶ ଗ୍ରହଣ କରୁଛନ୍ତି ତେଣୁ ବାଲଟ ପେପର ବହୁତ ସମୟପକ୍ଷ । ତେଣୁ ଇଭିଏମ ଭୋଟିଂ ବ୍ୟବସ୍ଥା ପ୍ରଚଳିତ ହେଉଛି ଯାହା କମ ସମୟ ଭିତରେ ହୋଇପାରିବ। ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ସିଦ୍ଧ ଘୋଷଣା କରିଛନ୍ତି । ତାପରେ ମଧ୍ୟ ଓମକାର ନିଜ ଚିନ୍ତାଧାରାରେ ଇଭିଏମକୁ ବ୍ୟାନ କରିବାକୁ ସାରା ଭାରତ ଭ୍ରମଣ କରୁଛନ୍ତି।
ଇଭିଏମ ବ୍ୟବସ୍ଥାକୁ ନେଇ ଅନେକ ବାଦ ବିବାଦ ସାମ୍ନାକୁ ଆସିଛି । ଅନେକ ରାଜନୈତିକ ଦଳ ମଧ୍ୟ ଇଭିଏମର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ଜିତୁଛନ୍ତି ସେତେବେଳେ କହୁଛନ୍ତି ଇଭିଏମ ଠିକ ଅଛି ଯେତେବେଳେ ହାରୁଛନ୍ତି ସେତେବେଳେ ପୁଣି କହୁଛନ୍ତି ଇଭିଏମ ଟାମ୍ପରିଙ୍ଗ ହୋଇଛି । ତେଣୁ ଇଭିଏମ ବିବାଦକୁ ନେଇ ବିଗତ ଦିନରେ ରାଜନୈତିକ ଦଳ ମାନଙ୍କ ଭିତରେ ବୟାନବାଜି ଲାଗିରହୁଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ