ଭୁବନେଶ୍ବର: "ଓଡ଼ିଶା ଜନସମ୍ବାଦ ରାଲି"ରେ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦବୋଧନ । ଓଡ଼ିଶା ପାଇଁ ବିଜେପି ସବୁଠାରୁ ଅଧିକ କାମ କରିଥିବା କହିଛନ୍ତି ଶାହା । ତେବେ ଏହି ଭର୍ଚୁଆଲ ରାଲିରେ ରାଜ୍ୟବାସୀଙ୍କ ପାଖରେ ପ୍ରତିଟି ଟଙ୍କାର ହିସାବ ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।
ଶାହା କହିଛନ୍ତି ଯେ ୫ ବର୍ଷରେ ମୋଦି ସରକାର ଓଡ଼ିଶାକୁ ଦେଇଛନ୍ତି ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଓଡ଼ିଶାକୁ ଦେଇଥିଲା ମାତ୍ର ୭୯ ହଜାର କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ଭାରତର ଗୌରବ ବୃଦ୍ଧି ପାଇଁ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯାହା କୁହନ୍ତି, ତାହା କରନ୍ତି । ୫୦ କୋଟି ଲୋକଙ୍କ ପାଇଁ ମୋଦି ଆୟୁଷ୍ମାନ ଭାରତ ଯୋଜନା ଆଣିଛନ୍ତି । ୧ କୋଟି ଲୋକ ସେମାନଙ୍କର ଅପରେସନ ମାଗଣାରେ କରାଇଛନ୍ତି । ସେହିପରି ୧୦ କୋଟି ଲୋକଙ୍କ ଘରେ ଶୌଚାଳୟ କରାଯାଇଥିବା ବେଳେ ୮ କୋଟି ଲୋକ ଉଜ୍ଜଳା ଯୋଜନା ଦ୍ବାରା ଧୁଆଁରୁ ମୁକ୍ତି ପାଇଛନ୍ତି ବୋଲି ଶାହା କହିଛନ୍ତି ।
କଂଗ୍ରେସକୁ ଟାର୍ଗେଟ କରି ଗୃହମନ୍ତ୍ରୀ କହିଛନ୍ତି ଯେ ଏବେ କେନ୍ଦ୍ର ଟଙ୍କାଏ ଦେଲେ ଲୋକଙ୍କ ପାଖରେ ଟଙ୍କାଏ ପହଞ୍ଚୁଛି । ଅଢେଇ କୋଟି ଲୋକଙ୍କ ଘରେ ବିଜୁଳ ଆଲୁଅ ପହଞ୍ଚିଛି । ବଂଶବାଦ, ଭ୍ରଷ୍ଟାଚାର ଓ ତୁଷ୍ଟୀକରଣ ରାଜନୀତିରେ କଂଗ୍ରେସ ବିଶ୍ବାସ କରୁଥିବା ସେ କହିଛନ୍ତି ।
ଅନ୍ୟପକ୍ଷେ ନିଜ ଉଦବୋଧନରେ ଶାହା ଜାମ୍ମୁ ଓ କାଶ୍ମୀରର କଥା ମଧ୍ୟ ଉଠାଇଥିଲେ । ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ୩୭୦ ଧାରା ଉଚ୍ଛେଦ କରାଯାଇଛି । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ତିନି ତଲାକ୍ ବ୍ୟବସ୍ଥା ଉଚ୍ଛେଦ ହେବା ସହ ନାଗରିକତା ଆଇନ ସଂଶୋଧନ ମଧ୍ୟ କରାଯାଇଛି । ସେହିପରି ଜନଧନ ଯୋଜନାରେ ଓଡ଼ିଶାରେ ୪୨୫ କୋଟି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯାଇଥିବା ବେଳେ ନିର୍ମାଣ ଶ୍ରମିକଙ୍କ ପାଇଁ ୪୧୮ କୋଟି ଟଙ୍କା, ଉଜ୍ଜଳା ଯୋଜନାରେ ଓଡ଼ିଶାରେ ୪୭ ଲକ୍ଷ ଲୋକଙ୍କୁ ମାଗଣା ଗ୍ୟାସ ପାଇଁ ୧୧ ହଜାର କୋଟି ଟଙ୍କା ଦିଆଯାଇଥିବା ଶାହା ହିସାବ ଦେଇଛନ୍ତି । କେବଳ ଏତିକି ନୁହେଁ ବାତ୍ୟା 'ଅମ୍ଫାନ' ସମୟରେ ମୋଦି ଓଡ଼ିଶାବାସୀଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଥିବା ସେ କହିଛନ୍ତି ।
ଏହି ଭର୍ଚୁଆଲ ରାଲିରେ ଦଳର ନେତା ଓ କର୍ମୀଙ୍କୁ ଟାସ୍କ ଦେଇଛନ୍ତି ଗୃହମନ୍ତ୍ରୀ । କିଭଳିଭାବେ ଅଭେଦ୍ୟ ସଙ୍ଗଠନ ଓଡ଼ିଶାରେ ହେବ, ଏନେଇ ସମସ୍ତେ ମିଳିମିଶି କାମ କରିବାକୁ ଶାହା ଆହ୍ବାନ ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ