ଭୁବନେଶ୍ବର: ଖରା ହେଉକି ବର୍ଷା । ସବୁବେଳେ ଲୋକଙ୍କ ସୁରକ୍ଷା ପାଇଁ ଟ୍ରାଫିକ ପୋଷ୍ଟରେ ନିଜର କର୍ତ୍ତବ୍ୟ କରିଚାଲିଥାଏ ଟ୍ରାଫିକ ପୋଲିସ । ଖରାରୁ ମୁକ୍ତି ଦେବାକୁ ଗତବର୍ଷ ଆରମ୍ଭ ହୋଇଥିଲା କୁଲ ମ୍ୟାଜିକ ଜ୍ୟାକେଟର ବ୍ୟବସ୍ଥା। କଟକ ଏବଂ ଭୁବନେଶ୍ବରରେ ଥିବା ଟ୍ରାଫିକ କର୍ମଚାରୀ ଗତ ବର୍ଷ ଏହାର ଲାଭ ଉଠାଇଥିଲେ। ତେବେ ଚଳିତ ବର୍ଷ ମଧ୍ୟ ଏବେ ଠାରୁ ହେଲାଣି ଅସହ୍ୟ ଖରା । ତେଣୁ ଟ୍ରାଫିକ ପୋଲିସ ଏହି କୁଲିଂ ଜ୍ୟାକେଟର ବ୍ୟବହାର କରିବା ଆରମ୍ଭ କରିସାରିଲେଣି।
ସୂଚନା ଅନୁସାରେ, ଗତବର୍ଷ ଏପ୍ରିଲ୍ ୩୦ ତାରିଖରେ ପୂର୍ବତନ ପୋଲିସ କମିଶନର ୱାଇ ବି ଖୁରାନିଆ ଏହି କୁଲିଂ ଜ୍ୟାକେଟର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଅଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକରେ ଥିବା ୩୦୦ ଟ୍ରାଫିକ କର୍ମଚାରୀଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇଛି। ଟ୍ରାଫିକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ଟ୍ରାଫିକ କର୍ମଚାରୀଙ୍କୁ କୁଲିଂ ଜ୍ୟାକେଟ ଦିଆଯାଇଥିଲା।
ନୀଳ ରଙ୍ଗର ଏହି ଜ୍ୟାକେଟ ପିନ୍ଧିଲେ ୧୦ ରୁ ୧୫ ଡିଗ୍ରୀ ତାପମାତ୍ରା କମ୍ ଅନୁଭବ ହେବ। ଏହାଦ୍ବାରା ଲୋକଙ୍କ ପାଇଁ ସେବା ଯୋଗାଉଥିବା ଟ୍ରାଫିକ କର୍ମଚାରୀଙ୍କ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଏହାସହ ରାଜଧାନୀରେ ଅଟୋ ମେଟିକ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କିଛି ଫଳ ମିଳୁନି। ସାଧାରଣ ଲୋକ ଏହି ଟ୍ରାଫିକ ବ୍ୟବସ୍ଥା ବିଷୟରେ ଅବଗତ ନହେବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଉଛି ।
ତେଣୁ ପ୍ରତ୍ୟେକ ଛକରେ ଟ୍ରାଫିକ କର୍ମଚାରୀ ରହିବା ଜରୁରୀ ହୋଇପଡୁଛି। ତେବେ ଭବିଷ୍ୟତରେ ଟ୍ରାଫିକ ପୋଲିସଙ୍କୁ ଅଧିକ କୁଲିଂ ଜ୍ୟାକେଟ ଦିଆଯିବା ସହ କିଭଳି ଭାବରେ ଏମାନେ ଗରମରୁ ରକ୍ଷା ପାଇପାରିବେ, ସେଥିପାଇଁ କମିଶନରେଟ ପୋଲିସ ପ୍ରୟାସ ଜାରି ରଖିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ