ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗତକାଲି(ରବିବାର) ସୃଷ୍ଟ ଲଘୁଚାପ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ ସକ୍ରିୟ ରହିଛି । କେନ୍ଦୁଝରର ଦୈତାରୀ ଠାରେ ସର୍ବାଧିକ ବର୍ଷା ୮୦.୪ ମି.ମି ବର୍ଷା ରେକର୍ଡ ହୋଇଛି । ସେହିପରି ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହାସହ ଲଘୁଚାପ ସହ ଜଡିତ ଏକ ଘୃର୍ଣ୍ଣିବଳୟ ମଧ୍ୟ ବାୟୁମଣ୍ଡଳରେ ରହୁଛି । ତେଣୁ, ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହାସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଏଥିସହ ଜୁନ ୧ରୁ ଆଜିପର୍ଯ୍ୟନ୍ତ ରାଜ୍ୟରେ ୨୬୭ ମି.ମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୧୫ ପ୍ରତିଶତ କମ ରହିଛି । ୧୧ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ଏବଂ ଗୋଟିଏ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର