ଭୁବନେଶ୍ବର: କାଳିଆକୁ କୁହନ୍ତି ଭାବର ଠାକୁର। ସେ ଭକ୍ତର ଭାବରେ ସବୁବେଳେ ବନ୍ଧା। ଭକ୍ତ ସାଲବେଗର ଡାକ ଶୁଣି ରଥ ଅଟକାନ୍ତି ତ, କେଉଁଠି ଭକ୍ତ ଦାସିଆ ବାଉରୀର ହାତରୁ ନଡ଼ିଆ ନିଜେ ନେଇଯାଆନ୍ତି। ଆଉ ଏପରିକି ଭକ୍ତର ବାଲି ରଥରେ ମଧ୍ୟ ସେ ଆସି ବିରାଜମାନ କରିଥିବାର କିମ୍ବଦନ୍ତୀ ରହିଛି। ଆଉ ଏହି ଆଧୁନିକ ଯୁଗରେ ମଧ୍ୟ ସେ ଭକ୍ତର ମନ କଥା ଶୁଣିବା ସହ ହାତରେ ତିଆରି ରଥରେ ବିଜେ କରିବାକୁ ସ୍ବପ୍ନାଦେଶ ମଧ୍ୟ କରିଛନ୍ତି। ଯାହା ଅବିଶ୍ବାସ ଲାଗୁଥିଲେ ମଧ୍ୟ ସତ । ଆଉ ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ୟୁନିଟ-8 ଅଞ୍ଚଳରେ।
ୟୁନିଟ-8 ରହୁଥିବା ଦିଲ୍ଲୀପ କୁମାର ପ୍ରଧାନ ଛୋଟବେଳୁ ଭଗବାନଙ୍କୁ ଅହେତୁକ ଭଲ ପାଇବା ସହ ସୋଲରେ ରଥ ନିର୍ମାଣ କରି ସହିତ ପୂଜା କରିଆସୁଥିଲେ। ପାଖାପାଖି 12 ରୁ 15 ବର୍ଷ ହେବ ସେ ଏପରି କରି ଆସୁଥିବା ପ୍ରକାଶ କରିଛନ୍ତି। ତେବେ ଚଳିତ ବର୍ଷ କୋରୋନା କଟକଣା ଲାଗିବା ପରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ଦର୍ଶନ ବନ୍ଦ ଘୋଷଣା ହେବାର ପୂର୍ବଦିନ ମନ୍ଦିରରେ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆଉ ସେହିଠାରେ ସେ ମନ୍ଦିରର ରଥଖଳାରେ ରଥ ନିର୍ମାଣ ଦେଖି ଭଗବାନଙ୍କ ନିକଟରେ ନିଜ ହାତ ତିଆରି ରଥରେ ବସାଇବା ପାଇଁ ଆଜ୍ଞା ମାଗିଥିଲେ। ଆଉ ଭଗବାନ ଜଣେ ସାଧୁ ବେଶରେ ତାଙ୍କ ସ୍ବପ୍ନରେ ଆସିବା ସହ ଏହାକୁ କରିବା ପାଇଁ ଆଦେଶ ଦେଇଥିଲେ।
ଏହାପରେ ସେ ଦୀର୍ଘ ତିନିମାସ ଧରି ରଥ ନିର୍ମାଣ କରିବାରେ ସକ୍ଷମ ହେବା ସହ ଶ୍ରୀ ଜଗନ୍ନାଥଙ୍କ ରୀତି ନୀତି ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ କାର୍ଯ୍ୟ କରିଚାଲିଥିବା କହିଛନ୍ତି। ସେହିପରି ଆସନ୍ତାକାଲି ସୁନାବେଶ ସମେତ ଅଧରପଣା ଓ ନିଳାଦ୍ରୀବିଜେ ନୀତି ମଧ୍ୟ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ତେବେ ଏତେ ସବୁ ତାଙ୍କର କୃପାରୁ ସମ୍ଭବ ହୋଇ ପାରୁଥିବା କହିବା ସହ କୋରୋନା ଭଳି ମହାମାରୀ ସାରା ବିଶ୍ବରେ ଯେଉଁ ଆତଙ୍କ ଖେଳାଇଛି ତାହାର ବିନାଶ କରିବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଆଗାମୀ ବର୍ଷକୁ ସାଧାରଣ ଜୀବନଯାତ୍ରା ପୂର୍ବାବସ୍ଥାକୁ ଫେରି ଆସିବା ସହ ବଡ଼ଦାଣ୍ଡ ସହିତ ଅନ୍ୟ ସବୁଠି ରଥ ଯାତ୍ରା ଅନୁଷ୍ଠିତ ହେଉ ବୋଲି ସେ ଭଗବାନଙ୍କ ନିକଟରେ ଗୁହାରି କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ