ଭୁବନେଶ୍ବର: ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ଗନ୍ଧମାର୍ଦ୍ଦନ ଖଣି କାରବାରକୁ ନେଇ ଏବେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ପ୍ରାୟ 7 ହଜାରରୁ 8 ହଜାର ଆଦିବାସୀ ଶ୍ରମିକ ଏହି ଖଣିରେ କାର୍ଯ୍ୟ କରନ୍ତି । ଖଣିର ଚତୁଃପାର୍ଶ୍ବରେ ଥିବା ଆଦିବାସୀ ଗ୍ରାମର 95% ଆଦିବାସୀ ଏହାରି ଉପରେ ନିର୍ଭରଶୀଳ । ତେବେ ବାହାର ଜିଲ୍ଲାରୁ କିଛି ଖଣି ମାଫିଆ ଏଠାକୁ ଆସି ନିଜର ପତିଆରା ଆରମ୍ଭ କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ନେଇ ଖଣି ନିଗମଙ୍କ ନିକଟରେ ଆଦିବାସୀମାନେ ଅଭିଯୋଗ କରିଛନ୍ତି । ଏହାସହ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବି ଜଣାଇଛନ୍ତି । ହେଲେ ନ୍ୟାୟ ପ୍ରଦାନ ପରିବର୍ତ୍ତେ ଶ୍ରମିକଙ୍କୁ କିଭଳି ଛଟେଇ କରାଯିବ ସେଥିପାଇଁ ଛଦ୍ମ ବେଶୀ ଶ୍ରମିକ ସଂଗଠନଙ୍କ ସହ ମିଶି ଷଡ଼ଯନ୍ତ୍ର ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଦଲାଲମାନେ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ଦୁଇ ଦୁଇ ଥର ଆକ୍ରମଣ କରାଯାଇଥିବା କୁହାଯାଇଛି ।
ଏହି ଘଟଣା ନେଇ ଅଭିଯୋଗକାରୀ କହିଛନ୍ତି," ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସିରେ ବିପୁଳ ପରିମାଣରେ ଅର୍ଥ ଅନିୟମିତତା ତଦନ୍ତ ପାଇଁ 30 ମାର୍ଚ୍ଚ 2021ରେ ARCS କେନ୍ଦୁଝରଙ୍କୁ ଜଣାଇ ଦିଆଯାଇଥିଲା । ହେଲେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏଠାରେ ଠିକ ଭାବରେ କାମ କରାଯାଉନାହିଁ ଏବଂ ଏହି ସଦସ୍ୟମାନେ ଅନିୟମିତତା ଭାବେ କାମ କରୁଛନ୍ତି।" ତେବେ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର