ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଭୂସମ୍ପତ୍ତି ଜବରଦଖଲକାରୀଙ୍କ ବିରୋଧରେ ବର୍ଷିଲା ଏକାମ୍ର ଜନଜାଗରଣ ମଞ୍ଚ। ବୁଧବାର ଭୁବନେଶ୍ବର ରାଜଭବନ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଲିଙ୍ଗରାଜଙ୍କ ପ୍ରାୟ 50 ଏକରରୁ ଅଧିକ ଜମି ହଡପ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମଞ୍ଚର ମୁଖ୍ୟ ସଂଯୋଜକ ହିମାଂଶୁ ଶେଖର ହୋତା।
ଏପରିକି ଭୀମପୁର ମୌଜାରେ ପ୍ରାୟ 2 ଏକରରୁ ଉର୍ଦ୍ଧ ଲିଙ୍ଗରାଜଙ୍କ ଜମିକୁ ଜାଲିଆତିକରି ଖୋଦ ଭୁବନେଶ୍ବର ଏକାମ୍ର ବିଧାୟକ ତଥା ରାଜ୍ୟ ସାମାଜିକ ନ୍ୟାୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପର୍କୀୟ ମୂଲ୍ୟବାନ ଭୂସମ୍ପତ୍ତି ଜବରଦଖଲ କରି କୋଟି କୋଟି ଟଙ୍କାରେ ବିକ୍ରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଲିଙ୍ଗରାଜଙ୍କ ଭୂସମ୍ପତି ଜବରଦଖଲ ଉଚ୍ଛେଦ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାର ତଥା ଦେବୋତ୍ତର ବିଭାଗକୁ ଦାବିପତ୍ର ଦେବା ପରେ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କୌଣସି ପ୍ରକାରର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏନେଇ ସେ ରାଜ୍ୟପାଳଙ୍କୁ ସମସ୍ତ ତଥ୍ୟ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଘଟଣାର ସିବିଆଇ ତଦନ୍ତ କରାଯାଇ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଦାବି କରିଛନ୍ତି ମଞ୍ଚ ମୁଖ୍ୟ ସଂଯୋଜକ ହିମାଂଶୁ ହୋତା ।
ଭୁବନେଶ୍ବର ଅନ୍ତର୍ଗତ ଭୀମପୁର ମୌଜାରେ (ଖାତା ନଂ ୫୪୪/୫୯୮, ପ୍ଲଟ ନଂ ୬୭,ଖେ -ଏ୧ ଡି୧୬୦)ଏକ ବହୁମୂଲ୍ୟ ଭୂସମ୍ପତି ଯାହାକି 1920 ମସିହା ଠାରୁ ଲିଙ୍ଗରାଜଙ୍କ ସତ୍ୱରେ ରହିଛି, ବେଆଇନ ଜବରଦଖଲ ଓ ଜାଲ ଦସ୍ତାବିଜ ଦ୍ବାରା ବ୍ୟକ୍ତିଗତ ସ୍ବାର୍ଥ ନିମିତ୍ତ ଉପଯୋଗରେ ଲଗାଯାଇଛି । ସରସ୍ବତୀ ପାତ୍ର ଓ ସାଥୀଙ୍କ ଦ୍ବାରା ଜାଲ ଦସ୍ତାବିଜ ପ୍ରସ୍ତୁତ କରାଯାଇ ସମସ୍ତ ପ୍ରକାରର ଚଞ୍ଚକତା ପୂର୍ବକ 2003 ମସିହାରେ ବ୍ୟକ୍ତିଗତ ପଞ୍ଜିକୃତ ଏବଂ ବେଆଇନ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି ବୋଲି ହୋତା ଅଭିଯୋଗ କରିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ