ଭୁବନେଶ୍ବର: ବିରୋଧୀ ଦଳନେତାଙ୍କ ବକ୍ତବ୍ୟକୁ ନେଇ ବିଧାନସଭାରେ ହଙ୍ଗମା ହୋଇଛି । ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକଙ୍କୁ ଜୋରଦାର ବିରୋଧ କରିଛନ୍ତି ଶାସକ ଦଳର ସଭ୍ୟମାନେ ।
ବିରୋଧୀ ଦଳନେତା ଗୁରୁବାର ବିଧାନସଭାର ଶୂନ୍ୟକାଳରେ କହିଥିଲେ କେନ୍ଦ୍ର ଦେଉଥିବା ପଇସାର ସୁଧରେ ରାଜ୍ୟ ସରକାର ଯୋଜନା ଚଳାଉଛନ୍ତି । 30ଟି ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟ କେନ୍ଦ୍ରର ସୁଧ ପଇସାରେ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଦୀପ୍ତ ଏହି ଅଭିଯୋଗ କରୁଥିବାବେଳେ ‘ପଏଣ୍ଟ ଅଫ ଅର୍ଡର’ ଜରିଆରେ ବିଜେଡି ବିଧାୟକ ପ୍ରଦୀପ ଅମାତ କହିଥିଲେ, ବିରୋଧୀ ଦଳ ନେତା ଅସତ୍ୟ କହୁଛନ୍ତି । ଦୟାକରି ମିଥ୍ୟା କହି ପବିତ୍ର ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ପ୍ରଦୀପ ଅମାତ ଦାବି କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ପରେ ଶାସକ ଦଳକୁ ଜବାବ ଦେବାକୁ ଯାଇ କହିଛନ୍ତି ଶାସକ ଦଳର ପାପର ଭଣ୍ଡାର ପୁରିଛି । ଫାଟିବାର ବେଳ ଆସିଲାଣି । ସେଇଥିପାଇଁ ଚିତ୍କାର କରୁଛନ୍ତି । ଯାହାକୁ ଶାସକ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ, ଭୂପିନ୍ଦର ସିଂ ପ୍ରମୁଖ ବିରୋଧ କରିଥିଲେ ।
ଏହି ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହସ୍ତକ୍ଷେପ କରି ଅଭିଯୋଗର ତଥ୍ୟ ପ୍ରମାଣ ସହ ଗୃହରେ ଉପସ୍ଥାପନା କରିବାକୁ ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକଙ୍କୁ ରୁଲିଂ ଦେଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ