ଭୁବନେଶ୍ବର: ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ସତ୍ୟବାଦୀ ବ୍ଲକ୍ରେ କାର୍ଯ୍ୟକାରୀ ହେଉଥିବା ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତା ଏହି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ଉପସ୍ଥିତି ଥିଲେ ।
ବ୍ରହ୍ମଗିରି ବ୍ଲକ୍ର ୫୯ଟି, ସତ୍ୟବାଦୀ ବ୍ଲକ୍ର ୪୬ଟି ଗ୍ରାମ, ଋଷିକୂଲ୍ୟା ନଦୀରୁ ଗଞ୍ଜାମ ଜିଲ୍ଲାର ୩୦ଟି ଗ୍ରାମ ଓ କୃଷ୍ଣପ୍ରସାଦ ବ୍ଲକ୍ର ୯୦ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଛି ବୃହତ୍ ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ଏହା ସହ କଣାସ, ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକ୍ର ୧୨୬ଟି ଗ୍ରାମକୁ ଭାର୍ଗବୀ ନଦୀରୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଯୋଜନା ବୋର୍ଡ ଉପାଧ୍ୟକ୍ଷ କହିଛନ୍ତି ଯେ, ଉଭୟ ଚିଲିକା ଓ ସମୁଦ୍ର ପାଣି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେସବୁ ଅଞ୍ଚଳରେ ପୂର୍ବରୁ ଥିବା ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜଳ ବିତରଣ ଏବଂ ସେସବୁ ପ୍ରକଳ୍ପର ରକ୍ଷଣାବେକ୍ଷଣ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉଚିତ । ଅସ୍ତରଙ୍ଗ ବ୍ଲକ୍ର ୫୫ଟି, କାକଟପୁରର ୪୭ଟି, ଗୋପର ୮୧ଟି, ପୁରୀ ସଦର ବ୍ଲକ୍ର ୧୭ଟି ଗ୍ରାମପଞ୍ଚାୟତ ଓ ୬୭ଟି ଗ୍ରାମ, ସତ୍ୟବାଦୀର ୩ଟି ଗ୍ରାମ ପଞ୍ଚାୟତ ଓ ଡେଲାଙ୍ଗର ୭୪ଟି ଗ୍ରାମକୁ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ଚଳିତ ବଜେଟ୍ରେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ପୁରୀ ଜିଲ୍ଲାବାସୀଙ୍କ ପକ୍ଷରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଯେଭଳି କୌଣସି ବାଧା ଏବଂ ସ୍ଥାନୀୟ ସମସ୍ୟା ନଉଠେ, ସେଥିପାଇଁ ପୁରୀ ଜିଲ୍ଲାପାଳ ପ୍ରତ୍ୟେକ ମାସରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଚଳିତ ସପ୍ତାହରେ ପାନୀୟ ଜଳ ବିଭାଗର ମୁଖ୍ୟଯନ୍ତ୍ରୀ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ୍ର ନିର୍ମାଣାଧୀନ ପ୍ରକଳ୍ପ ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନରେ ଯିବେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏ ନେଇ ପରାମର୍ଶ ଦେଇଛନ୍ତି । ଫ୍ଲାଗସିପ୍ ପ୍ରୋଗ୍ରାମ ‘ବସୁଧା’ ମାଧ୍ୟମରେ ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପାନୀୟ ଜଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଦାୟିତ୍ୱ ନେଇଥିବା ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗୁରୁତ୍ୱ ଦେଇଛନ୍ତି ।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏଥିରେ ଅବହେଳା ପ୍ରଦର୍ଶନ ହେଲେ ଏଗ୍ରିମେଣ୍ଟର ସର୍ତ୍ତାବଳୀ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପାନୀୟ ଜଳ ନିର୍ଦ୍ଦେଶକ ବି. ପରମେଶ୍ୱର ଏବଂ ଅନ୍ୟାନ୍ୟ ଯନ୍ତ୍ରୀ ଓ ଅଧିକାରୀଙ୍କ ସମେତ ଭିସିରେ ପୁରୀ ଜିଲ୍ଲାପାଳ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ