ଭୁବନେଶ୍ବର: ଆଇକନିକ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ପାଇଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଦେଶରେ କେନ୍ଦ୍ର ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ଦର୍ଶନୀୟ ସ୍ଥାନର ସଂଖ୍ୟା ଏବେ 19ରେ ପହଞ୍ଚିଛି । ଓଡିଶାକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନସ୍ଥ ଦର୍ଶନୀୟ ସ୍ଥାନ ମଧ୍ୟରେ ତାଲିକାଭୁକ୍ତ କରିବା ନେଇ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ପ୍ରହ୍ଲାଦ ପଟେଲ ।
ପ୍ରହଲ୍ଲାଦ ପଟେଲ କହିଛନ୍ତି, ଭାରତରେ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳୀ ସଂଖ୍ୟା ପୂର୍ବରୁ 17ଟି ଥିବା ବେଳେ ଏବେ ଏହାକୁ 19କୁ ବୃଦ୍ଧି କରାଯାଇଛି । ଏ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଏହି 19ଟି ଆଇକନିକ୍ ଟୁରିଷ୍ଟ ସାଇଟ୍ ମଧ୍ୟରେ କୋଣାର୍କ ମନ୍ଦିରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ପଟେଲ ସ୍ପଷ୍ଟ କରିଛନ୍ତି । ଏହାସହ କୋଣାର୍କ ମନ୍ଦିରରୁ ବାଲି କଢାଯିବା ନେଇ ଆଗାମୀ ଦିନରେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପଟେଲ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ