ଭୁବନେଶ୍ବର: 1936 ମସିହା ଆଜିର ଦିନରେ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ ।
1568 ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଅପ୍ରାଣ ପ୍ରାଣେ ଚେଷ୍ଟା କରିଆସୁଥିଲେ । ସେମାନଙ୍କ ନେତୃତ୍ବରେ ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ତେଜିଲା ।
1875ରେ ବାଲେଶ୍ବରର ରାଜା ଶ୍ୟାମାନନ୍ଦ ଦେ ଓ ଜାତିପ୍ରେମୀ ବିଚିତ୍ରାନନ୍ଦ ଦାସ ଗଭର୍ଣ୍ଣରକୁ ସାକ୍ଷାତ କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ଦେଇଥିଲେ । ସେଇଟା ଥିଲା ସ୍ବତନ୍ତ୍ର ପ୍ରଦେଶ ଗଠନ ଦିଗରେ ପ୍ରଥମ ଦାବି ପତ୍ର । 1882ରେ ଉତ୍କଳଗୌରବ ମଧୁସୂଦନ କୋଲକାତା ଛାଡି ଓକିଲାତି କରିବା ପାଇଁ କଟକ ଆସିଥିଲେ । ସେ ଓଡିଶାର ଦୟନୀୟ ସ୍ଥିତି ଦେଖି ସ୍ବତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ଚିନ୍ତା କରିଥିଲେ ।
ସେତେବେଳେ ସକ୍ରିୟ ଥିଲେ ପ୍ରଥମ ଓଡିଆ ସମ୍ବାଦ ପତ୍ର ଉତ୍କଳଦୀପିକାର ପ୍ରତିଷ୍ଠାତା କର୍ମବୀର ଗୌରୀଶଙ୍କର ରାୟ । ସଭା ସମିତି ଜରିଆରେ ଜନମତ ସୃଷ୍ଟି କରୁଥିଲେ ସେ । ମଧୁସୂଦନ ତାଙ୍କ ସହ ଯୋଗଦେବା ସହ ଗଠିତ ହୋଇଥିବା ଉତ୍କଳ ସଭା । ଶେଷର ତୀବ୍ର ଆନ୍ଦୋଳନ ପ୍ରତିବାଦ ହିଁ ଓଡିଶାକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢି ତୋଳିଥିଲା ।
ପ୍ରଥମେ ଓଡିଶା 6ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ନିର୍ମାଣ ହେଲା । 1992 ମସିହାରେ ଓଡିଶାର 13ଟି ଜିଲ୍ଲାକୁ ପୁନର୍ବିଭାଜନ କରି 30 ଟି ଜିଲ୍ଲାରେ ଭାଗ କରାଗଲା । ସାର୍ ଅଷ୍ଟିନ ହବାକ ଓଡିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ