ଭୁବନେଶ୍ବର: ଶେଷ ହୋଇଛି ଦୀର୍ଘ 12 ଦିନ ଧରି ଖଣ୍ଡଗିରିର ପାଦ ଦେଶରେ ଅନୁଷ୍ଠିତ ହେଉଥିବା ଯାତ୍ରା ମହାସମର । ଏହି ଉତ୍ସବର ଭରପୁର ଆନନ୍ଦ ଉଠାଇଛନ୍ତି କଳାପ୍ରେମୀ ଓ ଦର୍ଶକ ମାନେ । ଅନ୍ୟଦିନ ମାନଙ୍କ ଠାରୁ ଯାତ୍ରାର ଏହି ଶେଷ ଦିନରେ ଦର୍ଶକଙ୍କ ଅଧିକ ସମାଗମ ବିଭିନ୍ନ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିଥିଲା ।
ପ୍ରତିବର୍ଷ ମାଘ ମେଳା ଅବସରରେ ଖଣ୍ଡଗିରି ପାଦ ଦେଶରେ ଜମେ ଯାତ୍ରା ଜଗତର ମହାଆସର । ଦୀର୍ଘ 12 ଦିନ ଧରି ଚାଲୁଥିବା ଏହି ଆସର କଳାପ୍ରେମୀ ଦର୍ଶକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଏ । ପେଣ୍ଡାଲରେ ସେମାନଙ୍କ ମନପସନ୍ଦର କଳାକାରଙ୍କୁ ଦେଖିବା ସହ ତାଙ୍କର ଅଭିନୟ ଓ ସଂଳାପ ଶୁଣିବାକୁ ରାତି ରାତି ଅନିଦ୍ରା ରହିବାକୁ ବାଧ୍ୟ କରେ ।
ଆଉ ସେଥିପାଇଁ ସଞ୍ଜ ନଇଁଲେ ଲାଗେ ଗହଳି ଚହଳି । କିନ୍ତୁ ସୋମବାର ସଞ୍ଜ ଠାରୁ ସେହି ଗହଳି ଆଉ ଏଠାରେ ଦେଖିବାକୁ ମିଳିବନି କି ଖୋଲା ଆକାଶରେ ଆଉ କଳାକାରଙ୍କ ଏହି ଗୁରୁ ଗମ୍ଭୀର ସଂଳାପ ଅଧ ରାତ୍ରିରେ ଲୋକଙ୍କୁ ଚମକାଇ ଦେବ ନାହିଁ । କାରଣ ନାଟକ ପରିବେଷଣ କରୁଥିବା ଯାତ୍ରା ଦଳ ଗୁଡିକ ରବିବାର ସେମାନଙ୍କ ଶେଷ ପ୍ରଦର୍ଶନ କରି ବିଦାୟ ନେଇଛନ୍ତି । ତେବେ ଶେଷ ଦିନରେ ପେଣ୍ଡାଲରେ ଉପସ୍ଥିତ କଳାକାରମାନେ ଦର୍ଶକମାନଙ୍କର ଖୁବ ମନୋରଞ୍ଜନ କରିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସଙ୍କ ରିପୋର୍ଟ, ଇଟିଭି ଭାରତ