ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ତିନିଦିନିଆ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି । ବିଭିନ୍ନ ଆଇଟି କମ୍ପାନୀ ସହ ଆଲୋଚନା ସହିତ ଆଇଟି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି, ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମକୁ ଆଗକୁ ନେବା ଏବଂ ସର୍ବୋପରି ଓଡ଼ିଶାକୁ ଏକ ସର୍ବବୃହତ୍ ଆଇଟି ହବ୍ରେ ପରିଣତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।
ସୋମବାର ଦିନ ମନ୍ତ୍ରୀ ହାଇଟେକ୍ ସିଟି ଗସ୍ତ କରିବା ସହ ମାଇକ୍ରୋସଫଫ, ସିବିଆର୍ଇ ଏବଂ ବ୍ଲାକ୍ ନାଇଟ୍ ଆଦି ଆଇଟି କମ୍ପାନୀ ବୁଲିବା ସହ ସେମାନଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଓଡ଼ିଶା ଆସି ପୁଞ୍ଜିନିବେଶ ପାଇଁ ଥିବା ଭିତ୍ତିଭୂମି ଦେଖିବା ପାଇଁ ଏକ ସରକାରୀ ଆମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ପର୍ପଲ୍ ଟକ୍ କମ୍ପାନୀ ପ୍ରତିଷ୍ଠାତା ଶ୍ରୀଧର ମୁଦିଙ୍କ ସହ ରାଜ୍ୟରେ ଆଇଟି କ୍ଷେତ୍ରର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା କରିଥିଲେ ।
ଏହି ତିନିଦିନିଆ ଗସ୍ତରେ ମନ୍ତ୍ରୀ ତେଲେଙ୍ଗାନାର ଶିଳ୍ପ ତଥା ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏଥି ସହିତ ଏହି ଦିନ ଏସ୍ଟିପିଆଇ ଦ୍ବାରା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦେବେ । ଏଥିରେ ମନ୍ତ୍ରୀ ଗୁଗୁଲ୍, ଡିକୁ୍ୟ ଏଣ୍ଟର୍ଟେନ୍ମେଣ୍ଟ, ଟି-ହବ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟ ଆଇଟିର ବିକାଶ, ଇକୋ-ସିଷ୍ଟମ୍ ଉନ୍ନତିକରଣ ଏବଂ ପୁଞ୍ଜିନିବେଶ ଆଦି ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୨୦ରେ ମନ୍ତ୍ରୀ ଆମାଜନ୍ ଏବଂ ହାୟସି ଆଦି ଆଇଟି କମ୍ପାନୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଇଟିର ବିକାଶ ଓ ପୁଞ୍ଜିନିବେଶ ନେଇ ନିକଟରେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିଥିବାବେଳେ ବର୍ତ୍ତମାନର ହାଇଦ୍ରାବାଦ୍ ଗସ୍ତ ରାଜ୍ୟ ଆଇଟି କ୍ଷେତ୍ରକୁ ଯଥେଷ୍ଟ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ମନ୍ତ୍ରୀଙ୍କ ଏହି ଗସ୍ତକୁ ବିଭାଗର ବେଶ ସକାରାତ୍ମକ ଭାବେ ଗ୍ରହଣ କରୁଛି । ବିଭିନ୍ନ ରାଜ୍ୟରେ ଆଇଟିର ବିକାଶ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହାକୁ ଆମ ରାଜ୍ୟରେ କିଭଳି ଭାବେ ବ୍ୟବସ୍ଥିତ କରିହେବ ସେ ବିଷୟରେ ମନ୍ତ୍ରୀଙ୍କ ଗସ୍ତ ବେଶ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ଅବଗତ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ