ଭୁବନେଶ୍ବର: ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ସଟଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ସରକାର । କିନ୍ତୁ ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନୂଆ ନିର୍ଦ୍ଦେଶନାମା ଅନୁସାରେ, ଜୁନ୍ ୧୭ରୁ ୩୦ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସ୍ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତଦୁର୍ଦ୍ଧ ପାହ୍ୟାର ଅଧିକାରୀମାନେ ପ୍ରତିଦିନ ଅଫିସ୍ ନିଶ୍ଚିତ ଆସିବେ । ଯେଉଁ କର୍ମଚାରୀମାନେ ଦୁଇ ଡୋଜ ଟିକା ନେଇସାରିଛନ୍ତି ସେମାନଙ୍କ ପାଇଁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି ।
ତେବେ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସ୍, ମୁଖ୍ୟ ଦପ୍ତର, ବିଭାଗୀୟ ଅଫିସ ଓ ଅନ୍ୟାନ୍ୟ ଅଫିସରେ କେଉଁ କର୍ମଚାରୀ ଅଫିସ ଆସିବେ ତାହା ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ଯେଉଁ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇନାହାନ୍ତି ଓ ରୋଷ୍ଟର ଡ୍ୟୁଟି କରୁଛନ୍ତି ସେମାନେ ଅଫିସ ଆସିବେ କି ନାହିଁ ତାହା ମଧ୍ୟ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏସଆରସି ଅଫିସ୍, ଓସଡମା ଅଫିସ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ମ୍ୟୁନିସପାଲ ସର୍ଭିସ ଆଦି ପୂର୍ଣ୍ଣ କ୍ଷମତା ସହ ପୂର୍ବଭଳି କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଦିଆଯାଇନାହିଁ କିମ୍ବା ସେମାନେ ଘରେ ରହି କାମ କରୁଛନ୍ତି ସେମାନଙ୍କୁ ଭିପିଏନ୍ ସୁବିଧା ଉପଲବ୍ଧ ନିଶ୍ଚିତ କରାଯିବ । ସେମାନେ ଅଫିସର ନିୟମିତ ଓ ବକେୟା କାର୍ଯ୍ୟ କରିବେ । ସେହିପରି ଟେଲିଫୋନ୍ ମାଧ୍ୟମରେ ସ୍ୱଳ୍ପ ନୋଟିସରେ କର୍ମଚାରୀମାନଙ୍କୁ ଅଫିସ୍ ଆସିବାକୁ ପଡ଼ିବ । ତେବେ ଗର୍ଭବତୀ, ଭିନ୍ନକ୍ଷମ କର୍ମଚାରୀଙ୍କୁ ମଧ୍ୟ ଅଫିସ୍ ଆସିବା ଓ ୱାର୍କ ଫ୍ରମ୍ ହୋମରୁ ବାଦ୍ ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ