ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ । ଆଇଆଇଟି ଭୁବନେଶ୍ବରର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ କେ.ଶିବନ । ମୁଖ୍ୟ ଅତିଥି ଭାବେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ସେପଟେ ଜଟଣୀର ଅରୁଗୁଳସ୍ଥିତ କ୍ୟାମ୍ପସରେ ମଧ୍ୟ ଯୋଗଦେବେ ଶିବନ । କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବେ । ତିନି ଜଣ ଛାତ୍ରଙ୍କୁ ସ୍ବର୍ଣ୍ଣ ଓ 15 ଜଣ ଛାତ୍ରଙ୍କୁ ରୌପ୍ୟ ପ୍ରଦାନ କରାଯିବ ।
ଅନ୍ୟପଟେ ବିମାନବନ୍ଦରରେ ପହଞ୍ଚିବା ପରେ ଇସ୍ରୋ ଅଧ୍ୟକ୍ଷ ଗଣମାଧ୍ୟମରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଥିଲେ । "ଚନ୍ଦ୍ରଯାନ-2 ସଫଳତା ପାଇଛି । ବହୁ ସଫଳତାର ସହ ସମସ୍ତ ବୈଜ୍ଞାନିକମାନେ କାମ କରିଛନ୍ତି । ତେବେ ଲ୍ୟାଣ୍ଡର ବିକ୍ରମର କେଉଁଠାରେ ତ୍ରୁଟି ରହିଲା, ତାକୁ ନେଇ ଅନୁସନ୍ଧାନ ଜାରି ରହିଛି । ବିକ୍ରମ ସମ୍ପର୍କରେ ତଥ୍ୟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ" ।
ଏହି ଅବସରରେ ଗଗନାୟନ ସମ୍ପର୍କରେ ବି ସେ ମତ ରଖିଥିଲେ । ଆସନ୍ତାବର୍ଷ ଶେଷ ଆଡକୁ ଏ ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ନିଜ ମତରେ କହିଛନ୍ତି କେ.ଶିବନ ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ