ଭୁବନେଶ୍ବର: ଘନେଇବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦର କଳା ବାଦଲ । ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । କୋର୍ଟରେ ସାଂସଦଙ୍କ ପତ୍ନୀ ନିର୍ଯ୍ୟାତନା ନେଇ ପିଟିସନ ଦାଖଲ କରିବା ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ଅନୁଭବ ।
କଣ ହେବ କେନ୍ଦ୍ରାପଡା ସାଂସଦ ତଥା ବିଜେଡି ନେତା ଅନୁଭବ ମହାନ୍ତିଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ । ଏନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପ୍ରଥମେ ରାଜ୍ୟ ସଭା ପରେ ବହୁଚର୍ଚ୍ଚିତ କେନ୍ଦ୍ରାପଡା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ । ନିଜ ପତ୍ନୀ ତଥା ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ ଆଣିଥବା ଅଭିଯୋଗ ପାଇଁ କେନ୍ଦ୍ରାପଡାର ସାଂସଦଙ୍କ ପାଇଁ ବଢୁଛି ଅଡ଼ୁଆ ।
ଅନୁଭବ ମହାନ୍ତିଙ୍କ ନାଁରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାଦ ବିବାଦ ଲାଗିରହିଥିବା ବେଳେ ପତ୍ନୀ ବର୍ଷା ଆଣିଥିବା ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇପଡିଛନ୍ତି ଓଲିଉଡ ସୁପରଷ୍ଟାର । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଅନୁଭବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ବିଶେଷଜ୍ଞମାନେ ଅନୁଭବଙ୍କ ରାଜନୈତିକ କ୍ୟାରିଅର ଉପରେ ପୂର୍ଣଛେଦ ପଡିବା ନେଇ ଆଶଙ୍କା କଲେଣି ।
ସୂଚନା ଅନୂସାରେ କେନ୍ଦ୍ରାପଡାର ସାଂସଦ ହେବାପରେ ସବୁସମୟରେ ଅନୁଭବ ମହାନ୍ତି ଚର୍ଚ୍ଚାର ପରିସରରେ ରହିଛନ୍ତି । ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ହେଉ କି ଯୁବକଙ୍କୁ ଆକ୍ରମଣ ଘଟଣା, ଅନୁଭବଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ରୁଜୁ ହୋଇଥିଲା ମାମଲା । ଏପରିକି ବ୍ୟବସାୟୀଙ୍କୁ ଠକିବା ଅଭିଯୋଗ ମଧ୍ୟ ଅନୁଭବଙ୍କ ନାଁରେ ରହିଛି । ଏହାସହ ତାଙ୍କର ଜାଲ୍ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ଉଠିଛି ଅନେକ ପ୍ରଶ୍ନ । ଏନେଇ କଂଗ୍ରେସ ମଧ୍ୟ ବାରମ୍ବାର ଅନୁଭବଙ୍କୁ କାଠଗଡାରେ ଠିଆ କରିଛି ।
ଏପରି ସ୍ଥଳେ ବିଜେଡି ସୁପ୍ରିମୋଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିଜେଡିର ଜଣେ ସାସଂଦଙ୍କ ଏପରି କାର୍ଯ୍ୟ କଳାପ ସଂସଦର ଗରିମା କ୍ଷୁର୍ଣ୍ଣ କରୁଛି ବୋଲି ଦଳ ଅଭିଯୋଗ କରିଛି । ଏହାସହ ସାଂସଦଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି କରିଛି କଂଗ୍ରେସ ।
ସେପଟେ ବିଜେପି ମଧ୍ୟ ସାଂସଦଙ୍କ ବହିଷ୍କାର ଦାବି କରିଛି । ଏପରିକି ବିଜେପି ପକ୍ଷରୁ କେନ୍ଦ୍ରାପଡା ଓ କଟକରେ ସାଂସଦ ଅନୁଭବ ମହାନ୍ତିଙ୍କ କୂଶପୂତଳିକା ଦାହ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଆଜି ମଧ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ ଜରିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ସାଂସଦ ପଦ ଓ ଦଳରୁ ବହିଷ୍କାର ନେଇ ଉଠିଛି ସ୍ବର ।
ଅନ୍ୟପକ୍ଷେ ରାଜନୈତିକ ବିଷେଷଜ୍ଞମାନେ ଅନୁଭବଙ୍କ ରାଜନୈତିକ କ୍ୟାରିଅରରେ ପୂର୍ଣ୍ଣଛେଦ ପଡିବ ବୋଲି ଆଶଙ୍କା କରିଛନ୍ତି । ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ଅନୁଭବ ମହାନ୍ତିଙ୍କ ରାଜନୈତିକ କ୍ୟାରିଅର ଉପରେ ଏହି ଘଟଣା ନିଶ୍ଚିତ ରୂପେ ପ୍ରଭାବ ପକେଇବ । ଅନୁଭବ ଜଣେ ସାଂସଦ ଏବଂ ନବୀନଙ୍କ ପରେ ଦ୍ଵିତୀୟ ପ୍ରଚାରକ । ତାଙ୍କର ଷ୍ଟାର ଇମେଜ୍ ରହିଛି । ଏହାସହ ପୂର୍ବରୁ ପାରିବାରିକ ବିବାଦରେ ରଘୁ ମହାନ୍ତିଙ୍କ ବିରୋଧରେ ନିଜର ବୋହୂ ଅଭିଯୋଗ ଆଣିଥିଲେ । ଏନେଇ ରଘୁ ମହାନ୍ତିଙ୍କୁ ନିଜର ମନ୍ତ୍ରୀ ପଦ ହରାଇବା ସହ ଦଳରୁ ବହିଷ୍କୃତ ହେବାକୁ ପଡିଥିଲା । ତେବେ ଅନୁଭବଙ୍କ ଉପରେ ବିଜେଡି ସୁପ୍ରିମୋ କଣ କାର୍ଯ୍ଯାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ