ଭୁବନେଶ୍ବର: ସହରାଞ୍ଚଳ ବସ୍ତି ବାସିନ୍ଦାମାନଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତିସ୍ଥାନ ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ଥିବା ବସ୍ତିମାନଙ୍କ ବିକାଶ ସମ୍ବନ୍ଧିତ କର୍ମଶାଳାକୁ ଉଦଘାଟନ କରିବା ଅବସରରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ବସ୍ତି ବାସିନ୍ଦାମାନେ ଏକ ସହରର ଅବିଛେଦ୍ୟ ଅଙ୍ଗ । ସେମାନଙ୍କ ପାଇଁ ଉତ୍ତମ ବାସଗୃହ ଏବଂ ମୌଳିକ ସେବା ଯୋଗାଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଭିଯାନ ଆରମ୍ଭ କରିଛନ୍ତି । ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ଦ୍ବିତୀୟ ପର୍ଯ୍ୟାୟରେ ବସ୍ତିଗୁଡ଼ିକର ବିକାଶ କରି ସେସବୁକୁ ସହର ମୁଖ୍ୟ ଜୀବନଧାରା ସହ ସଂଯୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ଶେଷସୁଦ୍ଧା ‘ଉଷା’ ସର୍ଭେ ମାଧ୍ୟମରେ ଚିହ୍ନିତ ସମସ୍ତ ବସ୍ତିର ବିକାଶ ସାଧନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଥିବା ପୁରୁଣା ବସ୍ତିଗୁଡ଼ିକରେ ଜମି ଅଧିକାର ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଥିବା ଆଇନଗତ ଆବଶ୍ୟକତା ଆଦିକୁ ବିଚାର କରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ୱୟନ ପଦ୍ଧତି (ଏସ୍.ଓ.ପି.) ସ୍ଥିର କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ପ୍ରଦର୍ଶିତ ମାର୍ଗରେ ଉଭୟ ନଗର ଓ ଗୃହ ଉନ୍ନୟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ଏହି ଏସ୍.ଓ.ପି. ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ସହର ମଧ୍ୟ ଜଙ୍ଗଲ ଜମିରେ ଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାର ସମାଧାନ ହୋଇପାରୁଛି ।
ଓଡ଼ିଶାର ଜାଗା ମିଶନ୍ ଆନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିଛି । ଏଥିପାଇଁ ଓଡ଼ିଶାକୁ ବିଶ୍ୱ ବସତି ପୁରସ୍କାର-୨୦୧୮ ଏବଂ ଏସିଆ-ପ୍ରଶାନ୍ତ ଆବାସିକ ପୁରସ୍କାର-୨୦୨୧ ରେ ସମ୍ମାନିତ କରାଯାଇଛି । ଉଷା ସର୍ଭେ ମାଧ୍ୟମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ପ୍ରାୟ ୩୦୦୦ ବସ୍ତି ଚିହ୍ନଟ କରାଯାଇଛି । ଏଥିରେ ପ୍ରାୟ ୧,୬୮,୧୪୧ ବାସଗୃହ ରହିଛି । ଏଥି ମଧ୍ୟରୁ ୭୦ ହଜାର ଗୃହଙ୍କୁ ଜମି ଅଧିକାର ଏବଂ ୧,୦୩,୩୨୮ ଗୃହଙ୍କୁ ଜମି ପ୍ରମାଣପତ୍ର ଦିଆଯାଇଛି । ଇତି ମଧ୍ୟରେ ୫୫୦ ବସ୍ତିର ବିକାଶ କରି ସେସବୁକୁ ସହରୀ ଜୀବନର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି । ଅବଶିଷ୍ଟ ବସ୍ତିକୁ ଚଳିତ ବର୍ଷ ଶେଷସୁଦ୍ଧା ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଉଷା ସର୍ଭେ ମାଧ୍ୟମରେ ଚିହ୍ନିତ ବସ୍ତିମାନଙ୍କ ମଧ୍ୟରୁ ୨୫୩ଟି ବସ୍ତି ୪୫ ଟି ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଛି । ଏହି ବସ୍ତିମାନଙ୍କରେ ଜମି ଅଧିକାର ଏବଂ ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତୁତ SOP ବିଷୟରେ ସବିଶେଷ ଆଲୋଚନା ହୋଇଛି । SOPକୁ ପରୀକ୍ଷାମୂଳକ ଭାବେ ଢ଼େଙ୍କାନାଳ ପୌର ପରିଷଦ ଅଞ୍ଚଳରେ ପ୍ରୟୋଗ କରାଯାଇଛି । ଏହା ପୂର୍ଣ୍ଣମାତ୍ରାରେ ଫଳପ୍ରସୁ ହୋଇଛି । ଏହି SOPକୁ ଅନ୍ୟ ସମସ୍ତ ବସ୍ତିର ବିକାଶ ପାଇଁ ସମୟାନୁବନ୍ଧିତ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଡି.ଏଫ.ଓ ଏବଂ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏସ୍.ଓ.ପି.କୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟ ଶାସନ ସଚିବ ଢ଼େଙ୍କାନାଳର ଡିଏଫ୍ଓ ଡକ୍ଟର ପ୍ରକାଶ ଚାନ୍ଦ ଗିଗିନେନୀ, ରେଞ୍ଜ ଅଫିସର ଭୁବନାନନ୍ଦ ମିଶ୍ର ଏକ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ଏବଂ ଅତିରିକ୍ତ ଶାସନ ସଚିବ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରିଛନ୍ତି । ଜିଲ୍ଲାପାଳ, ଡି.ଏଫ.ଓ. ଏବଂ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଭିଡିଓ କନ୍ଫରେସିଂ ମାଧ୍ୟମରେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ