ଭୁବନେଶ୍ବର: ଇଡ୍କୋର ‘ଓ’ ହବ୍ ଟାୱାରରେ ଷ୍ଟାର୍ଟଅପ୍ ପାଇଁ ନିର୍ମାଣ ଚାଲିଥିବା ଏନ୍କ୍ୟୁବେସନ କେନ୍ଦ୍ର, ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି ଶିଳ୍ପ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର । ଶିଖର ଚଣ୍ଡିରେ ନୂତନ ଭାବେ ନିର୍ମାଣ ହୋଇଛି ଇଡ୍କୋର ‘ଓ’ ହବ୍ ଟାୱାର । ଏଠାରେ ପ୍ରାରମ୍ଭିକ ଭାବେ ୨୦୦ଟି ଷ୍ଟାର୍ଟଅପ ପାଇଁ ସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ଇଡ୍କୋର ‘ଓ’ ହବ୍ ଟାୱାରର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ନିର୍ମାଣଶୈଳୀ ଏବଂ ସାଜ ସରଞ୍ଜାମ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହା ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି । ସେ ସେଠରେ ଉପସ୍ଥିତ ଥିବା ସମସ୍ତ ଯନ୍ତ୍ରୀ ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡ଼ିତ କର୍ମଚାରୀ ଓ କାରିଗରମାନଙ୍କୁ ଏହି ଉନ୍ନତ ମାନର କାର୍ଯ୍ୟ ନିମନ୍ତେ ପ୍ରଶଂସା କରିଛନ୍ତି । ଏହି ନୂତନ ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲମ୍, ଇଭାନ୍ଞ୍ଜେଲିଷ୍ଟ ସଂଯୁକ୍ତା ବଢ଼ାଇ, ଇଞ୍ଜିନିୟର ବିଜୟ ତ୍ରିପାଠୀ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ