ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ନିଶାଦ୍ରବ୍ୟର ବେଆଇନ କାରବାର ବଢି ଚାଲିଥିବା ନଜରକୁ ଆସୁଛି । ଶନିବାର ରାଜଧାନୀରୁ ଯାତ୍ରୀବାହୀ ବସ ଯୋଗେ ଗଞ୍ଜେଇ ଦକ୍ଷିଣ ଏସିଆରେ ଅବସ୍ଥିତ ଦେଶ ଭୁଟାନକୁ ଚାଲାଣ ହେଉଥିଲା ବେଳେ ଚଢାଉ କରିଛି ପୋଲିସ । ଏହି ସମୟରେ ୨୧ କେଜିର ଗଞ୍ଜେଇ ଜବତ ସହ ପଶ୍ଚିମବଙ୍ଗର ଜଣେ ଅଭିଯୁକ୍ତଙ୍କ ସହ ନେପାଳି ଯୁବକଙ୍କୁ ପୋଲିସ ଗିରଫ କରିଛି ।
ଏହି ନିଶାଦ୍ରବ୍ୟୁଗୁଡ଼ିକ ଭୁବନେଶ୍ବରରୁ ଭୁଟାନକୁ କୋଲକାତା ଦେଇ ଯିବାର ଯୋଜନା ରହିଥିଲା । ନେପାଳି ଯୁବକ ଜଣକ ଓଡ଼ିଶାରୁ ଏହି ଗଞ୍ଜେଇଗୁଡ଼ିକ ରିସିଭ କରିବା ପରେ ଯାତ୍ରୀବାହୀ ବସରେ ଭୁଟାନକୁ ସପ୍ଲାଏ ହୋଇଥାନ୍ତା । ତେବେ ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ଉକ୍ତ ଯାତ୍ରୀବାହୀ ବସ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ପ୍ରାୟ ୨୧ କେଜିର ଗଞ୍ଜେଇ ସହିତ ଜଣେ ପଶ୍ଚିମବଙ୍ଗ ଅଭିଯୁକ୍ତ ଓ ନେପାଳି ଯୁବକଙ୍କୁ ଗିରଫ କରିଛି ।
ଗିରଫ ହୋଇଥିବା ନେପାଳ ଯୁବକର ନାଁ ଏସ ପୁଙ୍ଗ ବୋଲି ଜଣାପଡ଼ିଛି । ଅନ୍ୟ କେଉଁ ବସରେ ନିଶାଦ୍ରବ୍ୟଗୁଡ଼ିକ ରାଜ୍ୟ ବାହାରକୁ ସପ୍ଲାଏ ହେଉଥିବା ନେଇ ପୋଲିସ ସନ୍ଦେହ କରୁଛି । ଏନେଇ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ତେବେ ବସ ଯୋଗେ ଭୁବନେଶ୍ବରରୁ କୋଲକାତା ଓ ପରେ ସେଠାରୁ ଆସାମ ଦେଇ ଭୁଟାନ ପହଞ୍ଚାଇବାର ଥିଲା ଯୋଜନା ।
ପରେ ସେଠାରୁ ଅନ୍ୟ ମାଫିଆଙ୍କ ଜରିଆରେ ନେପାଳ ଓ ଅନ୍ୟ ସ୍ଥାନକୁ ଯୋଗାଇବାର ଥିଲା ପ୍ଲାନ। ପୋଲିସ ଏହି ଚୋରା ଚାଲାଣ ସମ୍ପର୍କରେ ତଦନ୍ତ କରିବା ସହିତ ଗଞ୍ଜେଇ ମାଫିଆଙ୍କ ରୁଟ ଲାଇନ ଓ ଯୋଜନା ସମ୍ପର୍କରେ ପଚରା ଉଚରା ଚଳାଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ