ଭୁବନେଶ୍ବର: ବୁଲିବ ଭ୍ୟାନ, ବାଣ୍ଟିବ ‘ମୁଁ ସଫେଇବାଲା’ କପଡା ବ୍ୟାଗ । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ନେଇ ଭୁବନେଶ୍ବରବାସୀଙ୍କୁ ୫ହଜାର ‘ମୁଁ ସଫେଇବାଲା’ ବ୍ୟାଗ ବାଣ୍ଟିବ ଆଇଡିବିଆଇ ଭ୍ୟାନ। ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେବା ଓ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ କଟକଣା ଉପରେ ବିଏମସିର ଗୁରୁତ୍ବ ଦେଖିବାକୁ ମିଳିଛି।
ସ୍ବଚ୍ଛ ପରିମଳ ବ୍ୟବସ୍ଥା ନେଇ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଏହି କ୍ୟାମ୍ପେନ । ଏହାର ପ୍ରଚାର,ପ୍ରସାର ଓ ବାସ୍ତବ ରୂପାୟନ ନିମନ୍ତେ ସୋମବାର ବିଏମସିରେ ବିଏମସି ଓ ଆଇଡିବିଆଇ ବ୍ୟାଙ୍କ ମିଳିତ ଉଦ୍ୟମ କରିଛି । ସୋମବାର ଏନେଇ ମୁଁ ସଫେଇବାଲା ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ।
ଏହାଦ୍ବାରା ଭୁବନେଶ୍ବରରେ ସାଧାରଣ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପଲିଥିନ ବଦଳରେ କପଡା ବ୍ୟାଗ ବ୍ୟବହାର କରିବେ। ଫଳରେ ପରିବେଶ ସୁରକ୍ଷିତ ରହିବ । ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ‘ମୁଁ ସଫେଇବାଲା’ କ୍ୟାମ୍ପେନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ବିଏମସି ପକ୍ଷରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାରେ ସହାୟକ ହେଉଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ