ଭୁବନେଶ୍ବର: ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର କମିଶନରଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର । ପଦୋନ୍ନତି ପାଇବା ପରେ ସେମାନେ ମୁଖ୍ୟ ଆୟକର କମିଶନର ଭାବରେ କାର୍ଯ୍ୟନିର୍ବାହ କରିବେ । ଏଥି ମଧ୍ୟରେ ୪ ଜଣ ଓଡ଼ିଆ ଅଫିସର୍ ଅନ୍ତର୍ଭୁକ୍ତ । ସେମାନେ ହେଲେ ମନୋରଞ୍ଜନ ପାଣିଗ୍ରାହୀ, ବିଜୟାନନ୍ଦ ପୃଷ୍ଟି, ଦେବେନ୍ଦ୍ର ନାରାୟଣ କର ଏବଂ ସୀମାଞ୍ଚଳ ଦାଶ ।
ମନୋରଞ୍ଜନ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବରେ ଅବସ୍ଥାପିତ । ମନୋରଞ୍ଜନ ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ସ୍ବଚାରୁ ରୂପେ କାର୍ଯ୍ୟ କରିଛନ୍ତି । ମନୋରଞ୍ଜନ ପୂର୍ବରୁ ଓଡ଼ିଶା ସରକାରଙ୍କର ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ଥିଲେ । ତାଙ୍କର ପାଞ୍ଚ ବର୍ଷ ଅବଧି ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି ।
ସେହିପରି ବିଜୟାନନ୍ଦ ପୃଷ୍ଟି ବର୍ତ୍ତମାନ ସମ୍ବଲପୁର ପ୍ରଧାନ ଆୟକର କମିଶନର ଅଛନ୍ତି । ଏହା ପୂର୍ବରୁ ସେ କଟକରେ ଅବସ୍ଥାପିତ ଥିଲେ । ଓଡ଼ିଶା ବାହାରେ ମଧ୍ୟ ସେ ଦକ୍ଷତାର ସହ ଅନେକ ବର୍ଷ କାର୍ଯ୍ୟ କରିଛନ୍ତି । ଏକା ସମୟରେ ଚାରି ଜଣ ଓଡ଼ିଶାର ଅଧିକାରୀ ଆୟକର ବିଭାଗର ଉଚ୍ଚ ଆସନକୁ ଯିବା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଖୁସିର ବିଷୟ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ