ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା 2020 । ପ୍ରଥମ ଦିନର ବିଷୟ ମାତୃଭାଷା ରହିଥିଲା । ଏ ହେଉଛି ଭୁବନେଶ୍ବର ହରିହର ବିଦ୍ୟାପୀଠ । ଏଠାରେ ମୋଟ ୧୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପୋଲିସର କଡା ପହରାରେ ଶୃଙ୍ଖଳିତ ଭାବେ ୧୨ ଜଣ ଶିକ୍ଷକଙ୍କ ତତ୍ବାବଧାନରେ ୬ଟି ଶ୍ରେଣୀ ଗୃହରେ ପରୀକ୍ଷା ହୋଇଥିଲା । ସକାଳ ୧୦ ଟାରେ ପରୀକ୍ଷା ଆରମ୍ଭ ହୋଇ ୧୨.୩୦ ରେ ଶେଷ ହୋଇଯାଇଛି ।
ଆଜି ପ୍ରଥମ ଦିନରେ ସକାଳ ୯.୪୫ ରେ ପ୍ରଶ୍ନପତ୍ର ଆସିଲା । ସମସ୍ତ ପରୀକ୍ଷାର୍ଥୀଙ୍କ ସାମ୍ନାରେ ପ୍ରଶ୍ନପତ୍ର ଦସ୍ତଖତ ହୋଇ ବଣ୍ଟାଗଲା । ବରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସରସ୍ବତୀ ଶିଶୁ ମନ୍ଦିରର ମୋଟ ୧୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ୪ ସେଟ ପ୍ରଶ୍ନପତ୍ର ଆସିଛି । ୬ ଟି ଶ୍ରେଣୀ କକ୍ଷରେ ୧୨ ଜଣ ଶିକ୍ଷକ ପରୀକ୍ଷା ଦାୟିତ୍ବରେ ରହିଛନ୍ତି । ଶାନ୍ତି ଶୃଙ୍ଖଳା ଭାବରେ ସମସ୍ତ ନିୟମ ପାଳନ କରାଯାଇ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ ବୋଲି ହରିହର ବିଦ୍ୟାପୀଠ ପ୍ରଧାନ ଶିକ୍ଷୟିତ୍ରୀ ତଥା ସେଣ୍ଟର ସୁପରିଟେଣ୍ଡେଣ୍ଟ ସଞ୍ଜୁଲତା ଦେଇ ପ୍ରକାଶ କରିଛନ୍ତି ।
ପରୀକ୍ଷାକେନ୍ଦ୍ର ପର୍ଯ୍ୟବେକ୍ଷକ ନିରୂପମା ମିଶ୍ରଙ୍କ ସୂଚନା ଅନୁସାରେ ପରୀକ୍ଷା ସ୍ବଚାରୁରୁପେ ପରିଚାଳନା କରାଯାଉଛି । ସୁରକ୍ଷା କର୍ମୀ ଜଗି ରହିଛନ୍ତି । ଅଭିଜ୍ଞ ଶିକ୍ଷକମାନେ ରହିଛନ୍ତି । ମୋଟ ୪ ସେଟ ପ୍ରଶ୍ନପତ୍ର ଆସିଥିଲା ,ପରୀକ୍ଷାର୍ଥୀଙ୍କ ସାମ୍ନାରେ ସେ ସବୁକୁ ଖୋଲାଗଲା ଆଉ ପରୀକ୍ଷାର୍ଥୀଙ୍କୁ ବଣ୍ଟାଗଲା । ସ୍କୁଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୧୦ ଟାରୁ ୧୨.୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ତେବେ ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ୨୮୮୮ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ପରୀକ୍ଷା ଦେଉଛନ୍ତି । ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି । ବୋର୍ଡ଼ ପକ୍ଷରୁ ସମସ୍ତ ଆନୁସଙ୍ଗିକ ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ