ଭୁବନେଶ୍ବର: ସାରା ବିଶ୍ବରେ ଅଦୃଶ୍ୟ ଆତଙ୍କ ଖେଳାଇଥିବା ଏହି ଭାଇରାସ ହେଉଛି କୋଭିଡ-19 ବା କୋରୋନା । ଗୋଟେପଟେ କୋରୋନା ତାର କାୟା ବିସ୍ତାର କରିଚାଲିଛି । ଆଉ ଅନ୍ୟପଟେ ଏହାର ମୁକାବିଲା ପାଇଁ ଲଢେଇର ସମ୍ମୁଖକୁ ଆସିଛନ୍ତି ଅନେକ ଉନ୍ନତ ରାଷ୍ଟ୍ର ଓ ରାଜ୍ୟ । ଚିକିତ୍ସା ବିଜ୍ଞାନରେ ବେଶ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିତିଚ ଇଟାଲୀ, ଫ୍ରାନ୍ସ, ଜର୍ମାନୀ,ଆମେରିକା ଭଳି ଦେଶ କୋରୋନା ମୁକାବିଲାରେ ଫେଲ ମାରିଛନ୍ତି । କାରଣ ଏହି ସବୁ ଦେଶରେ ବଢିଚାଲିଛି ଆକ୍ରାନ୍ତ ସଂଖ୍ୟା ଏବଂ ଗଡ଼ି ଚାଲିଛି ମୁଣ୍ଡ । କିନ୍ତୁ ଏହି ପରିସ୍ଥିତିରେ କୋରୋନା ମୁକାବିଲାରେ ହିରେ ସାଜିଛି ଓଡ଼ିଶା । ଆଜ୍ଞା ହଁ ଏକଥା ଆମେ କହୁନୁ, ଖୋଦ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ହିଁ ଓଡ଼ିଶାକୁ ସଜେଇଛି କୋରୋନା ଯୁଦ୍ଧର ଯୋଦ୍ଧା ।
ଚଳିତ ସପ୍ତାହର ତଥ୍ୟକୁ ପରିଲିକ୍ଷିତ କଲେ ଏହା ମଧ୍ୟ ସ୍ପଷ୍ଟ କହୁଛି, ଓଡିଶା ଅନେକ ଦେଶକୁ ମଧ୍ୟ ପଛରେ ପକାଇଛି । ସ୍ପେନ ,ଇଟାଲୀ, ପେରୁ, ୟୁକେ ଆଦି ସମାନ ଜନସଂଖ୍ୟା ବିଶିଷ୍ଟ ଦେଶକୁ କୋରୋନା ମୁକାବିଲାରେ ବହୁ ପଛକୁ ପେଲି ଦେଇଛି ଓଡ଼ିଶା । ଯେପରକି ସ୍ପେନରେ ମୋଟ ଜନସଂଖ୍ୟା ହେଉଛି ୪.୭ କୋଟି । ସେଥିମଧ୍ୟରୁ ୨ ଲକ୍ଷ 97 ହଜାର ଲୋକେ କୋରୋନା ସଂକ୍ରମିତ ହୋଇଥିବାବେଳେ ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି 28 ହଜାର 400 ସଂକ୍ରମିତ । ୟୁକେରେ ମୋଟ ଜନସଂଖ୍ୟା ୬.୬ କୋଟି ମଧ୍ୟରୁ 2ଲକ୍ଷ 88 ହଜାର ଲୋକଙ୍କୁ ଗ୍ରାସ କରିଛି କୋରୋନା । ସେଥି ମଧ୍ୟରୁ 44ହଜାର ଜଣଙ୍କ ପ୍ରାଣହାନୀ ଘଟିଛି । ସେହିପରି କଲୋମ୍ବିଆର ମୋଟ ଜନସଂଖ୍ୟା ୪.୯କୋଟି ହୋଇଥିବା ବେଳେ 1ଲକ୍ଷ 9 ହଜାର ଲୋକେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ୩ହଜାର 800 ପାଖାପାଖି ଲୋକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଓଡିଶାରେ ସାଢେ ଚାରି କୋଟି ଜନସଂଖ୍ୟା ହୋଇଥିବାବେଳେ ବର୍ତ୍ତମାନ 8 ହଜାର 6 ଶହ ଜଣ କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ଏବଂ 34 ଜଣଙ୍କ ମୃତ୍ୟୁ ଘଟିଛି । କେବଳ ସେତିକି ନୁହେଁ ଦେଶରେ ମଧ୍ୟ ସମାନ ଜନସଂଖ୍ୟା ବା ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ପରଫରମାନ୍ସ ଭଲ ରହିଛି । ବିଶେଷ କରି ମହାରାଷ୍ଟ୍ର ,ତାମିଲନାଡୁ,ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସ୍ଥିତି ବେଶ ଉର୍ଦ୍ଧ୍ବରେ ।
କୋରୋନା ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ । ବିଦେଶ ଫେରନ୍ତାମାନଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା ହେଉ କିମ୍ବା home quarantine ରେ ରହୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥପ୍ରଦାନ । ସେପଟେ ସ୍ବାସ୍ଥ୍ୟ କର୍ମୀଙ୍କୁ ୪ ମାସର ଅଗ୍ରୀମ ବେତନ ପ୍ରଦାନ ଠାରୁ ଆରମ୍ଭ କରି ପ୍ରତି ଘରେ କୋରୋନା ପରୀକ୍ଷଣ ନିଷ୍ପତି । ଏହି ସବୁ ନିଷ୍ପତି ଆଜି କୋଭିଡ ମୁକାବିଲାରେ ଓଡ଼ିଶାକୁ ସଜେଇଛି ବିଶ୍ବରେ ମଡେଲ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ