ଭୁବନେଶ୍ବର: କରୋନା ପାଇଁ ଅନେକ ସ୍ଥାନରେ ପ୍ରତିବନ୍ଧକ ସତ୍ତ୍ବେ ହୋଲି ପର୍ବକୁ ସମସ୍ତେ ଅଳ୍ପେ ବହୁତେ ପାଳନ କରିଥିବା ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ହର୍ବାଲ ହୋଲିର ରଙ୍ଗ ଜମିଥିଲା ।
ପୁରୁଣା ଭୁବନେଶ୍ବର ଅଞ୍ଚଳରେ କେବଳ ହଳଦୀ ରଙ୍ଗରେ ଲୋକେ ଓ ପିଲା ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା । ବିଗତ 5 ବର୍ଷ ଧରି ପୁରୁଣା ଭୁବନେଶ୍ବରର ଡାକବଙ୍ଗଳା ଛକ ଅଞ୍ଚଳରେ ହୋଲି ପର୍ବ ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ଯେଉଁଥିରେ ଲୋକମାନେ ଅବିର ସହ ବିଭିନ୍ନ ରସାୟନିକ ରଙ୍ଗର ମଧ୍ୟ ପ୍ରୟୋଗ କରୁଥିଲେ । କିନ୍ତୁ ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମହାମାରୀ ଭାଇରସ କୋରୋନାର କାୟା ବିସ୍ତାର କାରଣରୁ ଏଥର ସେଠାରେ ସାବଧାନତା ଅବଲମ୍ବନ କରାଯିବା ସହ ହଳଦୀ ରଙ୍ଗରେ ହୋଲି ଖେଳା ଯାଇଛି ।
ହୋଲି ଖେଳ ପାଇଁ ଅନୁଷ୍ଠାନ ପକ୍ଷରୁ 50 କେଜି ହଳଦୀ ଗୁଣ୍ଡ ବ୍ୟବହାର କରାଯାଇଥିଲା । ଏହାପରେ ଏଠାରେ ଦହି ହାଣ୍ଡି ଭଙ୍ଗା ଯିବା ସହ ଲଉଡ଼ି ଖେଳ ହୋଇଥିବା ଅନୁଷ୍ଠାନର ସଦସ୍ୟ ପ୍ରକାଶ ବେହେରା ପ୍ରକାଶ କରିଛନ୍ତି।
ତେବେ ଆଗାମୀ ବର୍ଷଠୁ ସବୁଆଡେ ଏଭଳି ପ୍ରାକୃତିକ ରଙ୍ଗରେ ହୋଲି ଖେଳିବାକୁ ସେ ଆହ୍ବାନ ଜଣାଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ