ଭୁବନେଶ୍ବର: ଧାର୍ଯ୍ୟ ତାରିଖରେ ହେବ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା । ଆଜି ଏନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ମିଳିଲେ ଏହାର ତର୍ଜମା କରିବା ସହ ବିଚାର ବିମର୍ଶ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
ସୂଚନାଯୋଗ୍ୟ, ଜୁଲାଇ 6ରେ ୟୁଜିସି ଅନ୍ତିମ ପରୀକ୍ଷା ନେଇ ଏକ ସର୍କୁଲାର ଜାରି କରିଥିଲେ । ସର୍କୁଲାର ଅନୁସାରେ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ସାରିବାକୁ କହିଥିଲେ । ହେଲେ ମହାମାରୀ କୋରୋନା ସମୟରେ ପରୀକ୍ଷା ବାତିଲ କରିବାକୁ ୟୁଜିସିର ସର୍କୁଲାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଗତ 18 ତାରିଖରେ ଏହାର ଶୁଣାଣି କରାଯାଇଥିବା ବେଳେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।
ସର୍ବୋଚ୍ଚ ନ୍ୟାୟାଳୟ ଏହା ବି କହିଛନ୍ତି ଯେ, ବିନା ପରୀକ୍ଷାରେ କୌଣସି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । କୋଭିଡ ମହାମାରୀ ସ୍ଥିତି ଦେଖି ରାଜ୍ୟ ସରକାର ପରୀକ୍ଷା ତାରିଖ ସ୍ଥିତି କରିପାରିବେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ