ଭୁବନେଶ୍ବର: ଓଡିଆ ସିନେ ଜଗତ ତଥା ମଞ୍ଚ ନାଟକ ଦୁନିଆରେ ଶୂନ୍ୟ ସ୍ଥାନ ସୃଷ୍ଟି କରି ଚିରଦିନ ପାଇଁ ବିଦାୟ ନେଇଛନ୍ତି ପ୍ରଖ୍ୟାତ ଅଭିନେତା ତଥା ନିର୍ଦ୍ଦେଶକ ବିଜୟ ମହାନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସୋମବାର ସେ ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ହୋଇଥିବା ବେଳେ ଗତ ମାସ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ବର ଅଣାଯାଇଥିଲା ।
ଗତ ମେ’ ମାସରେ ହୃତଘାତ ଆଟାକ କରିବାରୁ ତାଙ୍କୁ ପ୍ରଥମେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଦିନ ଚିକିତ୍ସା ପରେ ତାଙ୍କୁ ଜୁନ 14ରେ ଭୁବନେଶ୍ବର ଅଣାଯାଇଥିଲା । ରାଜଧାନୀର କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳେ ପତ୍ନୀ ତନ୍ଦ୍ରା ରାୟ ତାଙ୍କ ପାଖରେ ଉପସ୍ଥିତ ରହିଥିଲେ ।
ବିଜୟ ମହାନ୍ତି ନା ଯେ କେବଳ ସିନେ ଜଗତର ଏକ ଚର୍ଚ୍ଚିତ ଚେହେରା ଥିଲେ ବରଂ ମଞ୍ଚ ନାଟକରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ଖ୍ୟାତି ରହିଥିଲା । ତେବେ କିପରି ରହିଥିଲା ବିଜୟଙ୍କ ଜୀବନ, ଆସନ୍ତୁ ନଜର ପକାଇବା...
କେନ୍ଦ୍ରାପଡା ପାଣ୍ଡିରିଠାରେ 1950 ମସିହା ଏପ୍ରିଲ 8ରେ ଜନ୍ମଗ୍ରହଣ କରିଥିଲେ ବିଜୟ । ବାରିପଦାରେ ତାଙ୍କର ଶୈଶବ ବିତିଥିବା ବେଳେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ସମୟରେ ତାଙ୍କର ସହପାଠୀ ରହିଥିବା ବର୍ତ୍ତମାନ ସିଲଭର ସ୍କ୍ରିନର ଦିଗଜ୍ଜ କଳାକାର ନଶିରୁଦ୍ଦିନ ଶାହା, ରାଜ ବବ୍ବର ଓ ସ୍ବର୍ଗତଃ ଓମ ପୁରୀ । 1975 ମସିହାରେ ସେ ଏନଏସଡିରୁ ପଢା ଶେଷ କରିବା ପରେ ଦିଲ୍ଲୀରେ ହିଁ ରହି ମଞ୍ଚ ନାଟକରେ ନିଜକୁ ବ୍ୟସ୍ତ ରଖିଥିଲେ । ହେଲେ କିଛି ଦିନର ଅନୁଭବ ସାଉଣ୍ଟି ସେ ପୁଣି ଫେରିଥିଲେ ନିଜ ଜନ୍ମମାଟିକୁ ।
1977 ମସିହାରେ ଆରମ୍ଭ ହୁଏ ତାଙ୍କର ଓଡିଆ ସିନେ ଜଗତରେ ଯାତ୍ରା । ପ୍ରଥମ ଚଳଚ୍ଚିତ୍ର ରହିଥିଲା ‘ଚିଲିକା ତୀରେ’ । ବିଜୟଙ୍କ ଅଭିନୟର ଯାଦୁ ସତେ ଯେମିତି ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ପ୍ରସ୍ଫୁଟିତ ହୋଇଥିଲା । ଯାହା ତାଙ୍କୁ ଜାତୀୟ ପୁରସ୍କାରଠାରୁ ବେଶୀ ଦୂରେଇ ରଖିପାରିନଥିଲା । ନିଜ ନିଶାକୁ ପେସାରେ ବଦଳାଇଥିବା ବିଜୟଙ୍କର ଏହି ପୁରସ୍କାର ସହ ଆରମ୍ଭ ହୁଏ ବିଜୟର ଯାତ୍ରା । ଏହାପରେ ସେ ଦର୍ସକଙ୍କୁ ସାଉଣ୍ଟି ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁନ୍ଦର ଚଳଚ୍ଚିତ୍ର । ଆଉ ରାତାରାତି ପାଲଟିଯାଇଥିଲେ ରାଜ୍ୟର ଏକ ଚର୍ଚ୍ଚିତ ଚେହେରା ।
ନିଜ କ୍ୟାରିୟରର ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ମୁଖ୍ୟତଃ ଜଣେ ଖଳନାୟକର ପରିଚୟ ମିଳିଥିଲା । ହେଲେ ଧିରେ ଧିରେ ନିଜ ଅଭିନୟ ୟାଦୁରେ ସେ ବିଭିନ୍ନ ପ୍ରକାର ଚରିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ଆଗରେ ନିଜର ବହୁମୁଖୀ ପ୍ରତିଭାର ପ୍ରମାଣ ଦେଇଥିଲେ । ଅଭିନୟ ଜୀବନରେ ସେ ପ୍ରାୟ ସମସ୍ତ ପ୍ରକାର ଚରିତ୍ର ଯଥା ନାୟକ, ଖଳନାୟକ ଓ ହାସ୍ୟ ଅଭିନେତା ପରି ବିଭିନ୍ନ ଚରିତ୍ରକୁ ଜୀବନ୍ତ କରି ଦେଖାଇଥିଲେ । ତେବେ ତାଙ୍କର ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରେ ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର, ଭୀଷ୍ମ ପ୍ରତିଜ୍ଞା ଓ ଭାଇ ହେଲା ଭଗାରୀ ଆଦି ମୁଖ୍ୟ ରହିଥିଲା ।
1987 ମସିହାରେ ପରଦାକୁ ଆସିଥିବା ‘ଭୁଲି ହୁଏନା’ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ମଧ୍ୟ ଆରମ୍ଭ କରିଥିଲେ । ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ 1977ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଜଣେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ହେଲେ କିଛି ଦିନ ପରେ ସେ ଏଥିରୁ ଅବସର ନେଇଥିଲେ । ଅଭିନୟ ଓ କଳା ପ୍ରତି ତାଙ୍କର ନିଷ୍ଠା ପାଇଁ ତାଙ୍କୁ ଓଡିଶା ସିନେ କ୍ରିଟିକ୍ସ ଆୱାର୍ଡ ‘ବେଷ୍ଟ ଆକ୍ଟର ଅଫ୍ ଦି ଡିକେଡ’ର ସମ୍ମାନ ମଧ୍ୟ ମିଳିଥିଲା । କେବଳ ସେତିକି ନୁହେଁ ଜୟଦେବ ପୁରସ୍କାର, କଳା ଓ ସାହିତ୍ୟ ପାଇଁ ଜାତୀୟ ପୁରସ୍କାର ଓ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଦି ସମ୍ମାନ ମଧ୍ୟ ସେ ହାସଲ କରିଛନ୍ତି ।
ନିଜେ ଜଣେ କଳା ପ୍ରେମୀ ହୋଇଥିବାରୁ ସେ ଜଣେ କଳା ପ୍ରେମୀଙ୍କୁ ହିଁ ନିଜ ଜୀବନସାଥୀ ଭାବେ ବାଛିଥିଲେ । ଆଉ ସେ ଥିଲେ ଓଡିଆ ସିନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ତନ୍ଦ୍ରା ରାୟ । ଉଭୟେ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ମଧ୍ୟ ଦେଖାଯାଇଛି । ଉଭୟଙ୍କ ଔରସରୁ ଜନ୍ମ ନେଇଛନ୍ତି କନ୍ୟା ଜାସ୍ମୀନ ମହାନ୍ତି । ତେବେ କେବଳ ସିନେମା ନୁହେଁ ରାଜନୀତିରେ ମଧ୍ୟ ବିଜୟ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ 2014 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । ହେଲେ 2014 ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ