ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। 13 ତାରିଖ ବେଳକୁ ରାଜ୍ୟରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟାରେ ଓଡ଼ିଶାର ପ୍ରବଳ ବର୍ଷା ହୋଇଥିବା ଅଞ୍ଚଳ ମଧ୍ୟରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସର୍ବାଧିକ ୭୨.୪ ମିମି, ଗଞ୍ଜାମ ଜିଲ୍ଲାର ମାଧବରିଡା ଠାରେ ୭୨.୨ ମିମି, ବେଲଗୁଣ୍ଠା ଠାରେ ୭୧.୨ ମିମି ଏବଂ କେନ୍ଦୁଝର ଜିଲ୍ଲାର ତେଲକୋଇ ଠାରେ ୭୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।
ଗତ ୨୪ ଘଣ୍ଟାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୩ ଡିଗ୍ରୀ ରେକର୍ଡ କରାଯାଇଛି। ମୌସୁମୀ ଟ୍ରପ ଲାଇନ ଆଜି ବିକାନେର, ଜୟପୁର, ଗ୍ବାଲିଅର, ମଧ୍ୟପ୍ରଦେଶ ଉପରେ ଥିବା ଲଘୁଚାପର କେନ୍ଦ୍ର, ଜାମସେଦପୁର କଣ୍ଟାଈ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୦.୯ କିମି ଯାଏଁ ବ୍ୟାପିଛି।
ଗତକାଲିର ଲଘୁଚାପ ଆଜି ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଉପରେ ରହିଛି, ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୨.୧ କିମି ଯାଏଁ ବ୍ୟାପିଛି। ଗୋଟିଏ ପୂର୍ବ-ପଶ୍ଚିମ ସିଆର ଜୋନ ୨୧ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଦେଇ ସମୁଦ୍ର ପତ୍ତନ ଠାରୁ ୩.୧ କିମି ରୁ ୫.୮ କିମି ମଧ୍ୟରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ତା ଛଡା ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଏବଂ ନୂଆପଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ ତାରିଖ, ମଙ୍ଗଳବାର ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ସୁନ୍ଦରଗଡ, ଦେବଗଡ, ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୩ ତାରିଖରେ ଲଘୁଚାପ ସମ୍ଭାବନା ଥିବାରୁ ସେହିଦିନ ଠାରୁ ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ