ଭୁବନେଶ୍ବର: ରାଜ୍ୟରେ ବଢିବ ତାପମାତ୍ରା । ୧୮ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି l ଗତ ୨୪ ଘଣ୍ଟାରେ ୧୩ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୋଳରେ ୩୯.୭ ତାପମାତ୍ରା ରେକର୍ଡ କରାଯାଇ ଥିବାବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ୩୯ ଡିଗ୍ରୀ, ବାରିପଦା, ସୋନପୁରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା । ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଥିଲା ।
ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୩୮.୧ ଡିଗ୍ରୀ ଏବଂ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା l ସେହିପରି ଆସନ୍ତାକାଲି ରାଜ୍ୟରେ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବା ପୂର୍ବାନୂମାନ କରି ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି l
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ