ଭୁବନେଶ୍ବର: ମହାମାରୀ ପ୍ରଭାବ ହ୍ରାସ ସହ ଧୀରେ ଧୀରେ ଟ୍ରାକକୁ ଆସୁଛି ଶିକ୍ଷାକ୍ଷେତ୍ର । ଷଷ୍ଠ ଓ ସପ୍ତମ ଶ୍ରେଣୀ ସହ ନୂଆ ବର୍ଷ ମଧ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଦୀର୍ଘ ଦିନ ପରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲୁଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି । ପ୍ରଥମେ ନିଜକୁ ନିଜେ ସତର୍କ ରହିବା ଜରୁରୀ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।
ଯେପରିକି ବଡ ବଡ ବିଶେଷଜ୍ଞମାନେ ପୂର୍ବରୁ କହିଛନ୍ତି, ଅନ୍ୟମାନଙ୍କ ଠାରୁ ପିଲାମାନଙ୍କ ଇମ୍ୟୁନିଟି ଭିନ୍ନ । ତେଣୁ ଛୋଟ ପିଲାଙ୍କ ଉପରେ ସେତେଟା ବାହ୍ୟ ପ୍ରଭାବ ରହେନାହିଁ । ମହାମାରୀ ମଧ୍ୟରେ ସ୍କୁଲ ଖୋଲୁଥିବାରୁ ପିଲାମାନେ ନିଜେ ସତର୍କ ରହିବା ଦରକାର । ବିଦ୍ୟାଳୟରେ ଶିକ୍ଷକମାନେ ସ୍ଥିତି ଅନୁଧ୍ୟାନ କରିବା ସହ ଅଭିଭାବକମାନେ ମଧ୍ୟ ଦାୟିତ୍ବବାନ ହେବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ ଜଣାଇ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି କହିଛନ୍ତି, ବିଦ୍ୟାଳୟକୁ ପ୍ରତିଦିନ ସାନିଟାଇଜ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ବିଦ୍ୟାଳୟରେ ପିଅନ ନିଯୁକ୍ତି ସହ ସଫେଇ କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଉ । ଦୈନିକ ପ୍ରତ୍ୟେକ ବିଦ୍ୟାଳୟକୁ ସ୍ବାସ୍ଥ୍ୟ ଭ୍ୟାନ ପରିଭ୍ରମଣ କରୁ । ଯାହାଦ୍ବାରା ଯଦି କୌଣସି ଶିକ୍ଷକ କିମ୍ବା ଛାତ୍ରଛାତ୍ରୀଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ଏହି ସ୍ବାସ୍ଥ୍ୟ ଟିମ୍ ସେମାନଙ୍କର ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ । ସେହିଭଳି ଦୀର୍ଘଦିନ ପରେ ସ୍କୁଲ ଖୋଲୁଥିବାରୁ ଶିକ୍ଷକମାନେ ଉପରେ ଶିକ୍ଷାଦାନର ଚାପ ରହିବ । ତେଣୁ ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରନ୍ତୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଶିଶୁମାନଙ୍କ ଦକ୍ଷତା ବିକାଶ ପାଇଁ ଏବଂ ଅଧିକରୁ ଅଧିକ ସଚେତନ କରିବାକୁ ରାଜ୍ୟସ୍ତରୀୟ ଶିଶୁ ବିଧାନସଭାର ଆୟୋଜନ ହେବ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ନେତୃତ୍ବ, ବୌଦ୍ଧିକ ଓ ମାନସିକ ଦକ୍ଷତା ସ୍ଥିତି ସୁଦୃଢ ହୋଇପାରିବ । ଡିସେମ୍ବର 10 ତାରିଖରେ ଆୟୋଗର 40 ଦିନିଆ ଅଭିଯାନ ଶେଷ ହେଉଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ଏହାରି ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏପରିସ୍ଥଳେ ବିଦ୍ୟାଳୟ ଖୋଲିବା ନେଇ କେବେ ନିର୍ଦ୍ଧାରିତ ତାରିଖ ଘୋଷଣା ହେଉଛି ଖାଲି ତାହାକୁ ଅପେକ୍ଷା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ