ଭୁବନେଶ୍ବର: କୋରୋନା ଭାଇରସ୍ ଏବେ ସାରା ବିଶ୍ବରେ ନିଜ ଭୟାନକ ରୂପ ଦେଖାଇବାରେ ଲାଗିଛି । ଚୀନରୁ ଆରମ୍ଭ ହୋଇ ଅନେକ ରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଲାଣି ଏହି ବିକଟ ଭାଇରସ । କୋରୋନା ଭାଇରସକୁ ନେଇ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ତେବେ ଏନେଇ ଓଡିଶାବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଏକ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରେସ୍ମିଟରେ କୁହାଯାଇଛି ଯେ କୋରୋନା ଭାଇରସ୍ ନେଇ ଆତଙ୍କିତ ହେବାର ନାହିଁ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ପରୀକ୍ଷା କରାଯାଉଛି । ୪ଟି ମେଡିକାଲରେ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି । ଭାଇରସ୍ ନେଇ ଗୋଟିଏ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ନେପାଳ ସୀମାରେ ଥିବା ରାଜ୍ୟଗୁଡ଼ିକରେ ନଜର ରଖାଯାଇଛି । ଭାରତ ଜାରି କରିଥିବା ସ୍କ୍ରିନିଂ ବିମାନବନ୍ଦରରେ ଭୁବନେଶ୍ବର ନଥିଲା । ଆମେ ଆଜି ଅନୁରୋଧ କରିବା ପରେ ଏହାକୁ ତାଲିକାଭୁକ୍ତ କରାଯାଇଛି।
ଚୀନରେ ୮୦ ଜଣଙ୍କ ମୃତ୍ୟୁ ଘଟିବାରୁ ଚିନ୍ତା ବଢ଼ିଛି। ଓଡ଼ିଶାରେ ଏଥିପାଇଁ ଆମେ ବିଶେଷ ଭାବେ ସଜାଗ ରହିଛୁ। ଭୁବନେଶ୍ବରକୁ ସ୍କିନିଂ ଏୟାରପୋର୍ଟ ପାଇଁ ଦାବି କରିଛୁ ଏବଂ କେନ୍ଦ୍ର ରାଜି ହୋଇଛି। ସେପଟେ ଏହି ଭାଇରସ ପାଇଁ କିଡ୍ନି ଓ ହୃତପିଣ୍ଡ ପ୍ରଭାବିତ ହୋଇପାରେ | ଏନେଇ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରିନାହିଁ | ଏବେ ଏହାର କେବଳ ଲକ୍ଷଣ ଭିତ୍ତିକ ଚିକିତ୍ସା କରିହେବ | ରୋଗର ଲକ୍ଷଣ ଦେଖା ଗଲେ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ଡିଏମଇଟି ଡାକ୍ତର ସି. ବି. କେ. ମହାନ୍ତି କହିଛନ୍ତି | ତେବେ କୋରୋନା ଆକ୍ରାନ୍ତଙ୍କୁ ପ୍ରଥମେ ଥଣ୍ଡା, କାଶ ଓ ଜ୍ବର ହେବ | ଦ୍ବିତୀୟ ସପ୍ତାହ ବେଳକୁ ନିମୋନିଆ ହୋଇପାରେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ