ଭୁବନେଶ୍ବର: କେଶ ହେଉଛି ନାରୀର ଗହଣା ଓ ସୌନ୍ଦର୍ଯ୍ୟର ପ୍ରତୀକ । ସମସ୍ତେ ନିଜକୁ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଲାଗି ସର୍ବଦା ପ୍ରୟାସ କରିଥାନ୍ତି । ହେଲେ ଏମିତି କିଛି ଝିଅ ଅଛନ୍ତି, ଯେଉଁମାନେ କର୍କଟ ରୋଗୀଙ୍କ ମନୋବଳ ଦୃଢ କରିବାକୁ ନିଜର ସୁନ୍ଦର ଲମ୍ବା କେଶକୁ କାଟି ଦାନ କରୁଛନ୍ତି । ଏହି କେଶ ଦାତ୍ରୀଙ୍କ ମଧ୍ୟରେ ଦିବ୍ୟା ଆରଧ୍ୟା ନାମକ ଜଣେ କୁନି ଝିଅ ମଧ୍ୟ ରହିଛନ୍ତି । 'ଆମର ତ କେଶ କାଟିଲେ କିଛି ଦିନ ପରେ ତାହା ପୁଣି ବଢିଯିବ । କିନ୍ତୁ କର୍କଟ ରୋଗୀଙ୍କ କେଶ ଝଡିଲା ପରେ ତାହା ଆଉ ବଢିବନି । ତେଣୁ ମୁଁ ସେହିମାନଙ୍କ ଖୁସି ପାଇଁ ମୋ କେଶ ଦାନ କରିଛି' ବୋଲି କହିଛନ୍ତି ଦିବ୍ୟା ।
ବିଶେଷ କରି ମହିଳା ବା ଯୁବତୀମାନେ କର୍କଟ ରୋଗରେ ପୀଡ଼ିତ ହୋଇ କେମୋ ନେଲା ପରେ ସେମାନଙ୍କ ମୁଣ୍ଡରୁ ସବୁ ଚୁଟି ଉଠିଯାଇଥାଏ । ତେଣୁ ଲଣ୍ଡା ମୁଣ୍ଡ ନେଇ ବାହାରକୁ ବାହାରିବା ପାଇଁ ସେମାନେ କୁଣ୍ଠାବୋଧ କରିଥାନ୍ତି । କେବଳ ସେଥିପାଇଁ ବୁଧବାର 5 ପାଞ୍ଚ ଜଣ ଝିଅ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ନିଜର ସୁନ୍ଦର ଲମ୍ବା କେଶକୁ ଦାନ କରି “ଆକ୍ସନ ” ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ନିଜର କେଶ ହରାଇଥିବା ମହିଳା ବା ଯୁବତୀମାନଙ୍କୁ ପଠାଇଛନ୍ତି । ଏହି କାର୍ଯ୍ୟକ୍ରମରେ କର୍କଟ ସହ ଲଢେଇ କରିଥିବା ଅଭିନେତ୍ରୀ ରାଜଶ୍ରୀ ଭୂୟାଁ ମଧ୍ୟ ସାମିଲ ହୋଇ କେଶ ଦାତ୍ରୀମାନଙ୍କୁ ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ