ଭୁବନେଶ୍ବର: ଢ଼େରଦିନ ହେବ ଚାଲିଥିଲା ବରମୁଣ୍ଡା ବସଷ୍ଟାଣ୍ଡ ନିକଟସ୍ଥ ଗେଷ୍ଟ ହାଉସ୍ରେ ସେକ୍ସ ରାକେଟ । ରାଜଧାନୀର ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡରେ ନିକଟରେ ଚାଲିଥିଲା ବେଧଡକ ବେଆଇନ ସେକ୍ସ କାରବାର । ଶେଷରେ ଏହି ଅଞ୍ଚଳରେ ଚାଲିଥିବା ଏହି କାରବାର ସମ୍ପର୍କରେ ଆଭାସ ମିଳିବା ପରେ ମଙ୍ଗଳବାର ଅଚାନକ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଘଟଣାରେ 2ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସ ।
ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଧୀନରେ ‘ସମଷ୍ଟି’ ଗେଷ୍ଟ ହାଉସରେ ଚାଲିଥିଲା ଏହି ସେକ୍ସ କାରବାର । ଗେଷ୍ଟ ହାଉସର ମାଲିକ ସମେତ ଏକ ଦଲାଲ ଦୀର୍ଘ ଦିନ ଧରି ଦେହବେପାର କରିଆସୁଥିଲେ । ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ଗେଷ୍ଟ ହାଉସ ଉପରେ ଚଢାଉ କରିଥିଲା। ପୋଲିସ ଗାଡି ଦେଖିବା କ୍ଷଣି ଦଲାଲ ଜଣକ ଖସି ପଳେଇବାକୁ ସକ୍ଷମ ହୋଇଥିଲେ । ପୋଲିସ ସେକ୍ସ ରାକେଟରେ ସମ୍ପୃକ୍ତି ନେଇ ଗେଷ୍ଟ ହାଉସ୍ ଭିତରୁ 3ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି ।
ପୋଲିସ ଗେଷ୍ଟ ହାଉସରେ ତନଖି କରିବା ବେଳେ ରୁମ ଭିତରୁ କିଛି ଆପତ୍ତିଜନକ ସାମଗ୍ରୀ, ମୋବାଇଲ, ଓ ଟଙ୍କା ପାଇଥିଲା । ଏହି ମାମଲାରେ 5 ଜଣଙ୍କୁ ଥାନାରେ ଅଟକ ରଖିବା ସହ ପଚାରାଉଚରା ଜାରି ରଖିଛି ଖଣ୍ଡଗିରି ପୋଲିସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ