ଭୁବନେଶ୍ବର: ରାଜ୍ୟରେ ଗୋଟିଏ କ୍ବିଣ୍ଟାଲ ଧାନ ଉତ୍ପାଦନ ପାଇଁ ପ୍ରାୟତଃ ୨୩୪୪ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି । ହେଲେ ଜମି ଚାଷ ନିମନ୍ତେ ହଳ, ଟ୍ରାକ୍ଟର, ପାୱାର ଟ୍ରିଲର, ଶ୍ରମିକ ନିୟୋଜନ , ବିହନ ଖତ ଓ ସାର, କୀଟନାଶକ ଦ୍ରବ୍ୟର ବ୍ୟବହାର, ଜଳସେଚନ , ବିନିଯୋଗ ହେଉଥିବା ଅର୍ଥ ଉପରେ ସୁଧ, ଜମିର ବ୍ୟବହାର ବାବଦକୁ ଭଡା ଏବଂ ଅମଳ ନିମନ୍ତେ ଖର୍ଚ୍ଚ ଇତ୍ୟାଦିକୁ ମିଶାଇଲେ ଚାଷୀର ଆୟ ତୁଳନାରେ ବ୍ୟୟ କେତେ ତାହାର କଳନା କରାଯାଇନାହିଁ । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଦାବି ମୁତାବକ ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଧାରଣ ହୋଇନାହିଁ । ଏଥିଯୋଗୁଁ ୨୦୧୭-୧୮ ମସିହାରୁ ଚଳିତ ବର୍ଷ ମଧ୍ୟରେ ଚାଷୀଙ୍କ ସମୁଦାୟ ଆର୍ଥିକ କ୍ଷତି କେତେ ହୋଇଛି ତାହା କଳନା କରାଯାଇନାହିଁ । ୨୦୧୭ ମାର୍ଚ୍ଚ ୨୫ ରେ ରାଜ୍ୟ ବିଧାନସଭାରେ ଧାନର କ୍ବିଣ୍ଟାଲ ପ୍ରତି ଦର ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ନିର୍ଦ୍ଧାରଣ କରାଯାଇଥିଲା । ଅର୍ଥାତ୍ ଧାନ ଚାଷରେ ଚାଷୀଙ୍କର ଆୟ ବୃଦ୍ଧି ତଥା ଆର୍ଥିକ ଉନ୍ନତି ନିମନ୍ତେ କ୍ବିଣ୍ଟାଲ ପ୍ରତି ଖର୍ଚ୍ଚକୁ ନଜରରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ହେବ । ଏହା ଅତିକମରେ ଖର୍ଚ୍ଚ ତୁଳନାରେ ୨୫ ଶତକଡା ଅଧିକ ବୋଲି ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । କିନ୍ତୁ ବିଧାନସଭାରେ କ୍ବଣ୍ଟାଲ ପ୍ରତି ୨୯୩୦ ଟଙ୍କା ଧାର୍ଯ୍ୟ ହୋଇଥିଲେ ବି ତାହା ୨ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନାହିଁ । ଏହା ସହ ଚାଷୀଙ୍କର ସମୁଦାୟ ଆର୍ଥିକ କ୍ଷତି କେତେ ହୋଇଛି ତାହା କଳନା କରିବାରେ ସରକାର ଏ ଯାଏଁ ପଦକ୍ଷେପ ନେଇପାରିନାହାନ୍ତି ।
ଭୁବେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ