ଭୁବନେଶ୍ବର: ରାଜ୍ୟରେ କୃଷକ ଉନ୍ନୟନ ପାଣ୍ଠି ନାଁରେ ପୁଣି ଅସହାୟ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ରାଜ୍ୟ ସରକାର । ଅସହାୟ ଚାଷୀଙ୍କୁ ୨୦ହଜାର ଟଙ୍କା ସହାୟତା ରାଶି ସ୍ଥାନୀୟ ସରପଞ୍ଚ ମାଧ୍ୟମରେ ବାଣ୍ଟିବେ ରାଜ୍ୟ ସରକାର । ଏନେଇ କୋ-ଅପେରଟିଭ ସୋସାଇଟି ରେଜିଷ୍ଟରଙ୍କୁ ଚିଠି ଲେଖିଛି ସମବାୟ ବିଭାଗ । ଗତ ବଜେଟରେ ରାଜ୍ୟରେ କୃଷକ ଉନ୍ନୟନ ପାଣ୍ଠି ପାଇଁ ୨୫୦ କୋଟି ଟଙ୍କାର ପ୍ରାବଧାନ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ଗତ ନିର୍ବାଚନ ପୂର୍ବରୁ ସରକାର ତରିବରିଆ ଭାବେ କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଟଙ୍କା ବାଣ୍ଟିଥିଲେ । ଏବେ ପୁଣି ବିଜେପୁର ଉପ-ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ୨୦ହଜାର ବାଣ୍ଟିବା ନିଷ୍ପତିକୁ ବିରୋଧୀ ହଜମ କରିବା ସ୍ଥିତିରେ ନାହାନ୍ତି । ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ କଣ ଚାଷୀଙ୍କ କଥା ସରକାରଙ୍କ ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । କାଳିଆ ସହାୟତା ରାଶି ଏପର୍ଯ୍ୟନ୍ତ ସମସ୍ତେ ପାଇଲେ ନାହିଁ । ୨୦ ହଜାର ଟଙ୍କା ପୁଣି ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବାଣ୍ଟିବା ପ୍ରସ୍ତାବକୁ ରାଜନୀତିର ଗନ୍ଧ ବାରୁଛନ୍ତି ବିରୋଧୀ ।
ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ହେଲେ ତାହା ସାଧାରଣ ଚାଷୀଙ୍କ ପାଖରେ ପହଞ୍ଚୁନି । ରାଜ୍ୟ ସରକାର ଏକ ମିଛୁଆ ରାଧୁଆ ସରକାର । ନିର୍ବାଚନ ଆସିଲେ ଲୋକଙ୍କ ସହ ମିଥ୍ୟା ଆଚରଣ କରୁଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ କିସମର ଚାଷୀଙ୍କ ତାଳିକା ଦେଇପାରିଲେ ନାହିଁ । ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଯଦି ସତରେ ଚାଷୀଙ୍କ ପାଇଁ ଏତେ ଦରଦ ଅଛି ତେବେ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କ ସମସ୍ତ ବିବରଣୀ ଦିଅନ୍ତୁ । କାଳିଆ ଯୋଜନାର ଦ୍ବିତୀୟ କିସ୍ତି ଚାଷୀଙ୍କୁ କେବେ ମିଳିବ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ପୁରୁଣା ଗୋହି ଖୋଲି କହିଛନ୍ତି ବିଜେପି 15 ଲକ୍ଷ ଲୋକଙ୍କୁ ଦେବାକୁ କହିଥିଲା । ବର୍ଷକୁ 2କୋଟି ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲା । ସବୁଥିରେ ଫେଲ ମାରିଛି । ବିଜେଡି ମଧ୍ୟ ରାଜ୍ୟର ଚାଷୀଙ୍କ ସହ ଖେଳୁଛି । ବିଧାନସଭାରେ ପାରିତ ହେଲା ଧାନ କୁଇଣ୍ଟାଲ 29ଶହ ଟଙ୍କା କରିବାକୁ କାହିଁକି ହୋଇପାରିଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସେ । କାଳିଆ ଯୋଜନାରେ କେତେ ଚାଷୀଙ୍କୁ ଟଙ୍କା ଦେଇଛନ୍ତି ତାର ହିସାବ ନାହିଁ ସରକାରଙ୍କ ପାଖରେ ଆଉ ଚାଷିଙ୍କ ପାଇଁ ଏମାନେ କଣ କରିବେ ବୋଲି କହିଛନ୍ତି ନରସିଂହ ।
ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି । ଅରବିନ୍ଦ କହିଛନ୍ତି କୃଷକ ମାନଙ୍କୁ ୨୦ ହଜାର ଟଙ୍କା ବାଣ୍ଟିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ନବୀନ ପଟ୍ଟନାୟକ ସବୁବେଳେ କୃଷକଙ୍କ ବିକାଶ ପାଇଁ ଚିନ୍ତା କରିଛନ୍ତି । ଯେହେତୁ ରାଜ୍ୟରେ ପ୍ରାୟ ଶତକଡା ୮୦ ଭାଗ ଲୋକେ ଚାଷ ଉପରେ ନିର୍ଭର କରନ୍ତି , ଏହି ସହାୟତା ଦ୍ବାରା କୃଷି ଓ କୃଷକର ଉନ୍ନତି ହୋଇପାରିବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ