ଭୁବନେଶ୍ବର : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରହିଛି ବ୍ୟାପକ ନିଯୁକ୍ତି ସୁଯୋଗ । କୋରୋନା ମହାମାରୀ କାଳରେ ଫେରିଥିବା ଯୁବ ପ୍ରବାସୀ ରାଜ୍ୟକୁ ଫେରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମନୋନିବେଶ ତଥା ପୁଞ୍ଜିନିବେଶ କରିଛନ୍ତି । କୃଷି ଭବନରେ ଆଜି ଲିଙ୍ଗ ନିରୁପିତ ଶୁକ୍ରାଣୁ ଦ୍ୱାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।
ମନ୍ତ୍ରୀ କହିଛନ୍ତି ଯେ, "ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ୱାରା ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରି ଜନ୍ମ ହେଉଛନ୍ତି । ଏହା ଫଳରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବା ସହିତ ଚାଷୀର ଆୟବୃଦ୍ଧି ଘଟିବ । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ୭୫ ପ୍ରତିଶତ ରିହାତି ସରକାର ଯୋଗାଇଦେବେ । ଗୋଟିଏ ଡୋଜ ଲିଙ୍ଗ ନିରୁପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା ହୋଇଥିବାବେଳେ ସରକାର ଏହାକୁ ଗୋପାଳକମାନଙ୍କୁ ମାତ୍ର ୧୮୦ ଟଙ୍କାରେ ଯୋଗାଇଦେବେ । ରାଜ୍ୟର ଖଣିଜ ଅଞ୍ଚଳ ଜିଲ୍ଲାମାନଙ୍କରେ ଏଥି ପାଇଁ ଶତପ୍ରତିଶତ ରିହାତିର ସୁବିଧା ରହିଛି ।"
ଗତ ଦୁଇ ଦଶକରେ ରାଜ୍ୟରେ ଗୋପାଳକର ବିକାଶ ଚାଷୀମାନଙ୍କ ଆୟବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ସର୍ବଦା ଚାଷୀ ଓ ଗୋପାଳକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି । ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୧ ମସିହାରେ ୨୩.୭୩ ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି ।
କୁତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୁତ୍ରିମ ପ୍ରଜନନ କରାଯାଉଛି । ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇଥର ଟିକାକରଣ କରାଯାଉଛି । ଉଚ୍ଚ ଅମଳସମ୍ପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀମାନଙ୍କୁ ନୂତନ ଡାଇରୀ ଫାର୍ମ ଓ ମିଳ୍କ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଯୋଗାଇ ଦିଆଯାଉଛି । ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍ଫେଡ୍) ମାଧ୍ୟମରେ ରାଜ୍ୟର ପ୍ରାୟ ୩୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧ ବିକ୍ରୟ କରିପାରୁଛନ୍ତି ।
ଉଚ୍ଚ ଜେନେଟିକ୍ କ୍ଷମତାସଂପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛି । ଲିଙ୍ଗ ନିରୁପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୁତ୍ରିମ ପ୍ରଜନନ କରାଯାଉଥିବା ଗାଈଙ୍କଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାର ସମ୍ଭାବନା ଥାଏ । ଧୀରେ ଧୀରେ ଅଣ୍ଡିରା ବାଛୁରିଙ୍କ ଚାହିଦା କମୁଥିବାରୁ ଗୋପାଳକମାନେ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡ଼ି ଦେଇଥାନ୍ତି । ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ । ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍ନୋଲୋଜି ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍ କ୍ଷମତା ସଂପନ୍ନ ମାଈ ବାଛୁରି ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ । ଏହା ଦ୍ୱାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ ।
ରାଜ୍ୟରେ ଗିର, ସାହିୱାଲ୍, କ୍ରସ୍ ବ୍ରେଡ୍ ଜର୍ସି, କ୍ରସ୍ ବ୍ରେଡ୍ ହୋଲ୍ଷ୍ଟିନ୍ ଫି୍ରଜିଆନ୍ ଇତ୍ୟାଦି ଉନ୍ନତ ପ୍ରଜାତିର ସେକ୍ସ ସର୍ଟେଡ୍ ସିମେନ୍ ଚାଷୀଙ୍କ ପାଇଁ ଉପଲବ୍ଧ ହେବ । ଓଡ଼ିଶା ଗୋ-ମହିଷାଦି ପ୍ରଜନନ ନୀତି ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆର୍. ରଘୁପ୍ରସାଦ କହିଛନ୍ତି ଯେ, ଲିଙ୍ଗ ନିରୁପିତ ଶୁକ୍ରାଣୁ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ୨୦୨୨-୨୩ ବର୍ଷରେ ପ୍ରାଥମିକ ଅବସ୍ଥାରେ ୫.୫ ଲକ୍ଷ ଡୋଜ୍ ବ୍ୟବହାର କରି ୧.୨୦ ଲକ୍ଷ ଗାଈଙ୍କ କୁତ୍ରିମ ପ୍ରଜନନ କରାଯିବ । ଏହାକୁ ନେଇ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା, ଓଡ଼ିଶା ପ୍ରାଣୀଧନ ଅନୁସନ୍ଧାନ ବିକାଶ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଲୋକନାଥ ବେହେରା, ଓମ୍ଫେଡ୍ର ଏମ୍.ଡି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ମହାବିଦ୍ୟାଳୟର ବିଶେଷଜ୍ଞ, ବିଭାଗୀୟ ଅଧିକାରୀ ଓ ଗୋପାଳକମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ