ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଉତ୍କଳିକା ଦ୍ୱାରା ସର୍ବଭାରତୀୟ ସ୍ତରରେ ଗାନ୍ଧୀ ଶିଳ୍ପ ବଜାର ଉଦଘାଟନ ହୋଇଯାଇଛି । ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି ।
ସୂଚନାନୁସାରେ, ଏହି ମେଳା ରବିବାର ଆରମ୍ଭ ହୋଇଥିବା ବେଳେ ୧୦ ଦିନ ଧରି ଚାଲିବ । ଗାନ୍ଧୀ ଶିଳ୍ପ ବଜାରରେ ୧୬ଟି ରାଜ୍ୟରୁ ପ୍ରାୟ ୧୦୦ ଜଣ ଶିଳ୍ପୀ ହସ୍ତଶିଳ୍ପ କାରିଗର ଭାଗ ନେଇଛନ୍ତି । ଏହି ମେଳାରେ ପଞ୍ଜାବ, ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ, ହରିୟଣା, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ଲତ୍ତରାଖଣ୍ଡ ଏବଂ ଓଡିଶାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି ।
ଏହାସହ ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍ଡେନ ଗ୍ରାସ ଶିଳ୍ପ, କଣ୍ଢେଇ, ଚାନ୍ଦୁଆ, ପଟଚିତ୍ର, ରୁପା ତାରକସି, ଆଦିବାସୀ ଜୁଏଲାରୀ, ସିଙ୍ଘ, ବାଉଁଶ ବେତ,କତା ଶିଳ୍ପ, ଶାମୁକା, କାର୍ପେଟ, ଲୌହ ଶିଳ୍ପ, ଫୁଲକାରୀ, ଚମଡା ସାମଗ୍ରୀ, ଢୋକ୍ରା, ଜରୀ କାମ, କଂସା ଓ ପିରଳ, ସିକ୍କି କ୍ରାଫ୍ଟ ମଦୁର କାଠି, ଟେରାକୋଟ୍ଟା ଭଳି ଶିଳ୍ପ ମାନଙ୍କର ପ୍ରଦର୍ଶନ କରାଯାଇଛି । ତେବେ ଚଳିତ ବର୍ଷ 50 ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଛି । ମନ୍ତ୍ରୀ ରୀତା ସାହୁ ମେଳା ବୁଲିବା ପରେ ବାଲେଶ୍ଵରରୁ ଆସିଥିବା ମହିଳା SSG ଗ୍ରୁପ ଦ୍ୱାରା ତିଆରି ହୋଇଥିବା ଫୁଲ ଷ୍ଟାଣ୍ଡ କିଣିଥିଲେ।
ଇଟିଭି ଭାରତ, ଭୁବନେଶ୍ବର