ଭୁବନେଶ୍ବର: ଫଟୋରେ ଫଟୋରେ ବାପୁଜୀଙ୍କ ସ୍ମୃତି । ଫଟୋରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ପ୍ରଦର୍ଶିତ ହୋଇଛି । ରାତି ପାହିଲେ ସାରା ଦେଶରେ ପାଳିତ ହେବ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ । ଏହା ପୂର୍ବରୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ ଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଉପରେ ଆଧାରିତ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଶୈଶବ ଠାରୁ ଅଧ୍ୟୟନ, ବିଲାତରେ ପାଠପଢା, ଓକିଲାତି ପରେ ସ୍ବାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ ଏବଂ ଓଡିଶାରେ ବିଭିନ୍ନ ସଭାରେ ଉଦବୋଧନ ଏପରିକି ତାଙ୍କର ଶେଷ ଯାତ୍ରା ସମୟର ଅନେକ ଫଟୋ ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛି । ଏହାକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ,ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ଥିଲେ । ଏହି ଅବସରରରେ ଭାରତୀୟ ସମ୍ବିଧାନରେ ଅହିଂସାକୁ ସ୍ଥାନୀତ କରିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଆହ୍ବାନ ଅନୁସାରେ ସାରା ଓଡିଶାରୁ ସଂଗୃହିତ ଏକଲକ୍ଷ ଦସ୍ତଖତ ସମ୍ବଳିତ ପୁସ୍ତିକାକୁ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବନାନୀ ଚରଣ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ଯାହାକୁ ସେ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସଂହତି ଶିବିରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ