ଭୁବନେଶ୍ବର: ସ୍ବାଧୀନତା ଦିବସରୁ କୃଟ ଦ୍ବାରା ପରିଚାଳିତ ‘ମୋ ବସ’ ପାଇଁ ଫ୍ରିଡମ ମାସିକିଆ ପାସର ଶୁଭାରମ୍ଭ ହେବ । ଯାହା ଫଳରେ ବସ ସେବା ଗ୍ରହଣ କରିଥିବା ଜନସାଧାରଣ ପ୍ରତିଦିନ ଟିକଟ କାଟି ପଇସା ଦେଇ ହଇରାଣ ନହୋଇ ଏକକାଳୀନ ମାସକ ପାଇଁ ପାସ ସଂଗ୍ରହ କରିବେ । ଫଳରେ ମାସକ ପାଇଁ ବସ ଯାତ୍ରାର ସୁବିଧା ନେଇପାରିବେ ।
ଏନେଇ ବୁଧବାର ସ୍ଥାନୀୟ ଭୁବନେଶ୍ବର ମହାନଗର ନିଗମ ସମ୍ମିଳନୀ କକ୍ଷ୍ୟରେ କୃଟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ମୁଖ୍ୟତଃ ଡିଜିଟାଲ ସେବାର ବ୍ୟବହାର ଜାଣିନଥିବା ବୟସ୍କ, ଛୋଟ ପିଲାମାନଙ୍କ ପାଇଁ ଏହି ଅଫ ଲାଇନ ପାସ ବ୍ୟବସ୍ଥା କରାଯାଉଛି । ଏହି କ୍ରମରେ 2ଟି ପାସର ପ୍ରଚଳନ ଆରମ୍ଭ କରାଯାଇଛି । ପ୍ରଥମଟି ଫ୍ରିଡମ ମାସିକିଆ ଭୁବନେଶ୍ବର ପାସ । ଯେଉଁଥିରେ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ମୋ ବସ ରୁଟରେ ଅସିମୀତ ଯାତ୍ରାର ସୁଯୋଗ ପାଇବେ । ଏଥିରେ ଶୀତତାପ ନିୟନ୍ତ୍ରିତ ବସ ଭଡା ମାସିକ 900 ଟଙ୍କା ଓ ବିନା ଶୀତତାପ ନିୟନ୍ତ୍ରିତ ବସ ଭଡା ବାବଦରେ 600 ଟଙ୍କା ଯାତ୍ରୀଙ୍କୁ ଦେବାକୁ ପଡିବ ।
ସେହିପରି ଦ୍ବିତୀୟଟି ଫ୍ରିଡମ ମାସିକିଆ ମ୍ୟାଜିକ ପାସ । ଯେଉଁଥିରେ ମୋ ବସ ପରିଚାଳନା କ୍ଷେତ୍ର ଅନ୍ତର୍ଗତ ସମସ୍ତ ରୁଟରେ ଆସିମୀତ ଯାତ୍ରାର ସୁଯୋଗ ପାଇ ପାରିବେ । ଏଥିରେ ଶୀତତାପ ନିୟନ୍ତ୍ରିତ ବସ ଭଡା ପାଇଁ ମାସିକ 1800 ଟଙ୍କା ଓ ବିନା ଶୀତତାପ ନିୟନ୍ତ୍ରିତ ବସ ଭଡା ପାଇଁ 1200 ଟଙ୍କା ଦେବାକୁ ହେବ। ତେବେ ଏହି ସେବା ପ୍ରଥମ କରି ଆରମ୍ଭ ହେଉଥିବାରୁ ଯାତ୍ରୀଙ୍କ ପାଇଁ ବିଶେଷ ରିହାତିର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଯାହା ଅନ୍ତର୍ଗତ ଏହି ସେବା ଆରମ୍ଭ ହେବା ଦିନ ଠାରୁ ଆସନ୍ତା 31 ତାରିଖ ସୁଦ୍ଧା ଏହି ପାସ କଲେ ସେମାନଙ୍କୁ ବସ ଭଡାରେ 25 ପ୍ରତିଶତ ରିହାତି ସହିତ 5 ଦିନର ଅଧିକ ବୈଧତା ମିଳିବ । ଏହା ବ୍ୟତୀତ ପ୍ରତ୍ୟେକଙ୍କୁ ସ୍ବାଧୀନତା ଦିବସ ଉପହାର ସ୍ବରୂପ ଏକ ମାଗଣା ଆଇସିଆଇସିଆଇ ଓଡ଼ିଶୀ କାର୍ଡ ମାଗଣାରେ ମିଳିବ । ଏହି କାର୍ଡ ପାଇବା ପାଇଁ ଯାତ୍ରୀମାନେ ସେମାନଙ୍କର ନିଜସ୍ବ ଫଟୋ ପରିଚୟ ପତ୍ର ପ୍ରଦାନ କରି ଆବଶ୍ୟକ ମାସିକିଆ ପ୍ଲାନ ଗୁଡିକୁ କିଣି ପାରବେ ।
ସୂଚନାଯୋଗ୍ୟ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଏହି ସେବା ପ୍ରଥମେ ଭୁବନେଶ୍ବରର 5ଟି ସ୍ଥାନ ଯଥା ମାଷ୍ଟର କ୍ୟାଁଟିନ, ଫାୟାର ଷ୍ଟେସନ, ରସୁଲଗଡ଼, ବାଣୀବିହାର ଓ କିଟ ବିଗବଜାର ଛକରେ ଉପଲବ୍ଧ ହେବ । ଆଵଶ୍ୟକତା ଅନୁସାରେ ଏହାକୁ ପରବର୍ତ୍ତୀ ସମୟରେ ବଢାଯାଇ 4-5 ଟି ସେଣ୍ଟର କରାଯିବା ପାଇଁ ଲକ୍ଷ ଥିବା ବୋଥ୍ରା ପ୍ରକାଶ କରିଛନ୍ତି । ଏହି ଅବସରରେ ବାତ୍ୟା ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ବସ ଷ୍ଟପର ପୁନରୁଦ୍ଧାର ବିଷୟରେ ପ୍ରଶ୍ନ ହେବାରୁ ତାହା ଆଗାମୀ 30ରୁ 45 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ